Unknown

 

 

 

 

 

 

 

 

 

 

 

ମୁଣିକାଟେ

ଗୌରଚନ୍ଦ୍ର ପତି

 

ଏଇ ବହିପାଇଁ ପଦେ

 

ନିଚ୍ଛକ୍ ସତକଥା ।

 

ସେ ପକେଟ୍ ମାରେ, ପକେଟ୍ କାଟେ, ବେଳେ ବେଳେ ବୁଜୁଳି ବି ଉଠାଏ ।

 

ଓଡ଼ିଶାର ପୂର୍ବାଞ୍ଚଳର ଗୋଟିଏ ଗାଁରେ ତା’ର ଘର । ଏକ ମୁଖ୍ୟ ସହରଠାରୁ ଅଳ୍ପ କିଛି ଦୂରରେ ।

 

ବାପ ତା’ର ଭାରି ସାଧୁ, ସଚ୍ଚୋଟ ଓ ପରିଶ୍ରମୀ ଥିଲା । କିନ୍ତୁ ତା’ର ଜୀବାନାକାଶରେ ବାପର ପ୍ରଭାବ ଅନେକ କମ୍, ମନ ଓ ହୃଦୟରେ ଦାଗ କଲା ଭଳି ନୁହେଁ ।

 

ତା’ ଜୀବନର ଅପରିପକ୍ୱ ଅବସ୍ଥାରେ ଯେଉଁମାନଙ୍କର ପ୍ରଭାବ ତା’କୁ ବଶୀଭୂତ କଲା ଓ ତା’ର ଜୀବନପ୍ରବାହର ଗତି ଅସାମାଜିକ ଅଭିମୁଖୀ କଲା, ସେମାନେ ଆଜି କ’ଣ କରୁଛନ୍ତି କହି ହେବନି । କିନ୍ତୁ ସେଇମାନଙ୍କର ପ୍ରଭାବ ୟାକୁ କରିଦେଲା ଏକ ହିଂସ୍ର, ପରାଙ୍ଗପୁଷ୍ଟ, ଅନ୍ଧାରୁଆ ମଣିଷ ।

 

ଏଇ ଅନ୍ଧାର ଭିତରେ ସେ ଆଜି କର୍ମରତ ଏବଂ ସେଥିରେ ସେ ଆନନ୍ଦିତ । ସେ କେବେ ଭାବିନି, ଯାହା ସେ କହିଥିଲା, ତା’ର କର୍ମଦ୍ୱାରା ଅନ୍ୟ କେହି ଦୁଃଖରେ ପଡ଼ୁଛି କି ! ସେତକ ଭାବିବାର ଆବଶ୍ୟକତା ସେ କେବେ ଅନୁଭବ କରିନି । ସେମିତି ଭାବିବାଟା ତା’ପାଇଁ ବୋକାମୀ ।

 

ସେ ଜଣେ କୁଶଳୀ ଓ ଦକ୍ଷ କାରିଗର । ସେଥିପାଇଁ ସେ ଗର୍ବ କରେ । ସେ ଯଦି ଅନ୍ୟ କୋଉଥିରେ ଏଭଳି କୁଶଳୀ ଓ ଦକ୍ଷ ହୋଇଥାନ୍ତା ! ଏ କଥା ସେ କେବେ ଭାବିନି । ସେ ତ ଏଇ କାମ କରୁଛି ଓ ଜୀବନସାରା କରିବ ବୋଲି ଭାବିଛି ।

 

ସେ ଏଇ ମାତ୍ର ଯୁବକାବସ୍ଥାରେ ପଦାର୍ପଣ କରିଛି । ଆଗରେ ଜୀବନର ବହୁ ପଥ ! ଏଇ ପଥ ସେ ଅତିକ୍ରମ କରିବ ଉପଭୋଗ କରି; କେତେବେଳେ ବି ଅପଭୋଗ ଭିତର ଦେଇ । ଏତକ ସେ ନିଶ୍ଚିତ ଭାବରେ ଜାଣିଛି । ସେଥିପାଇଁ ତା’ର ଭୟ ନାହିଁ । କାରଣ ସେ ଭାବୁଛି, ସଂସାରର ଏଇ ମୃତକଳ୍ପ ଜୀବନ୍ତ ମଣିଷଗୁଡ଼ାକୁ ଦେଖି ସେ ଯୋଉ ପଥ ବାଛି ନେଇଛି ସେଥିରେ ଅପଭୋଗ ଅପେକ୍ଷା ଉପଭୋଗ ବେଶୀ ।

 

ସେ ଯାହା ଚାହିଁଛି ଆପଣମାନେ, ମୁଁ ଓ ସମସ୍ତେ ସେଇଆ ଚାହୁଁ । ଏଇ ତା’ର ମାତ୍ର କେତୋଟି ବର୍ଷର ଜୀବନରେ ସେ ଯାହା ଉପଭୋଗ କରିଛି, ତା’ ହୁଏତ ଆମ ଜୀବନର ସ୍ଵପ୍ନ । ଏଭଳି ସ୍ଵପ୍ନ ଦେଖିବାକୁ ବି ଆମକୁ ଡର ମାଡ଼େ ।

 

ସେ ତେଣୁ ଆମର ଗଭୀରତମ ମନ ଓ ହୃଦୟର ମଣିଷ ।

 

ତା’ର ଏଇ ଜୀବନ କାହାଣୀ ଅପୂର୍ଣ୍ଣ । ସେ ତ ମାତ୍ର ତରୁଣ ।

 

ତା’ର ଭାବନା, ତା’ର କାର୍ଯ୍ୟକଳାପ ତାରୁଣ୍ୟରେ ପରିପୂର୍ଣ୍ଣ । ସାମାଜିକ ଶୃଙ୍ଖଳାରହିତ ପରିବେଶରେ ପରିବର୍ଦ୍ଧିତ ।

 

ତା’ ଭଳି ଆମେ ସମସ୍ତେ ହୋଇ ପାରିବାନି, ହବାନି ବି । ସେ ବି ଆମଭଳି ହବାକୁ ଚାହେଁନା, ଘୃଣା କରେ । ଏବେ ଅବଶ୍ୟ, ପରେ ହୁଏତ ପରିବର୍ତ୍ତନ ଆସିପାରେ ତା’ ମନରେ ।

 

ଏଇ ଲେଖାଟି ତା’ର ଜୀବନପ୍ରବାହର କେତୋଟି ମୁହୂର୍ତ୍ତବିଶେଷ କରି ତା’ର କଳ୍ପନା ଓ ଅନୁଭାବନାରେ ପୁଷ୍ଟ ।

 

ଗୌରଚନ୍ଦ୍ର ପତି

Image

 

ଟିକି କଥାଟିଏ

 

ଚୋର ।

 

ଡକାୟତ ।

 

ପକେଟ୍‍ମାର ।

 

ଚାରିଶ୍‍ବିଶ୍ ।

 

ଖୁଣୀ ।

 

ଗୁଣ୍ଡା, ବଦମାସ୍ ।

 

ଅସାମାଜିକ, ଅମଣିଷ ।

 

ଆଇନ ଆଖିରେ ଦଣ୍ଡନୀୟ ।

 

ସମାଜରେ ଘୃଣ୍ୟ, ଅବାଞ୍ଛିତ ।

 

ସେ ବହୁ ମଣିଷଙ୍କ ମନ ଓ ହୃଦୟରେ ଭୟର ସଞ୍ଚାର କରେ ଏବଂ ନିଜେ ଭୟରେ ଲୁଚି ଲୁଚି ଘୂରେ । ଆଢ଼ୁଆଳରେ, ଅଜାଣତରେ, ଅନ୍ଧକାରରେ ତା’ର ଜୀବିକାର୍ଜ୍ଜନ କରେ ।

 

ତେବେ ବି ସେ ମଣିଷ ।

 

ମଣିଷର ସ୍ୱାଭାବିକ ରୀତିରେ ସେ ଖୋଜେ ଆନନ୍ଦ ଏବଂ ଉପଭୋଗ, ଚାହେଁ ବଞ୍ଚି ରହିବାଟା ସୁଖକର ହେଉ ।

 

ମଣିଷର ବିଭିନ୍ନତା ଦୃଷ୍ଟିରୁ ରୁଚି ଓ ଚିନ୍ତାଧାରାରେ, ପନ୍ଥା ଅବଲମ୍ବନ କରିବାରେ, ଅନ୍ୟ ଅନେକ ମଣିଷଙ୍କଠାରୁ ସେ କେତେଟା ସ୍ଵତନ୍ତ୍ର, ପୂରାମାତ୍ରାରେ ନୁହେଁ ।

 

ଏଇ କେତେଟା ସ୍ଵାତନ୍ତ୍ର୍ୟ ହିଁ ତା’କୁ ମଣିଷର ଚିରାଚରିତ ସମାଜରୁ ବିଚ୍ୟୁତ କରିଛି । ସେ ଗଢ଼ିଛି ତା’ର ଏକ ସମାଜ । ସେଇ ସମାଜର ନୀତିନିୟମ ହେଉଛି ଯଦୃଚ୍ଛା ଓ ସ୍ଵେଚ୍ଛାଚାର ଉପଭୋଗ । ଅଦ୍ଭୁତ କଥା ହେଉଛି ଯେ ତା’ର ସେଇ ସମାଜ ଚିରାଚରିତ ସମାଜକୁ ଆଶ୍ରାକରି ମଲାଙ୍ଗ ପରି ଗଢ଼ି ଉଠେ ଏବଂ ଚିରାଚରିତ ସମାଜର ବଳିଷ୍ଠ କଳେବର ତଳେ ପେଷି ମଧ୍ୟ ହୋଇଯାଏ । ସମୟ ଆସେ ଯେତେବେଳେ କି ସେଇ ସମାଜର ପ୍ରାୟ ପ୍ରତ୍ୟେକ ସଭ୍ୟ ଚିରାଚରିତ ସମାଜର ଶୁଷ୍କସ୍ଥିରତା ଓ ନିଶ୍ଚିତତା ପ୍ରତି ଆକୃଷ୍ଟ ହୁଅନ୍ତି । ସେତେବେଳକୁ ବୟସ ଓ ଘଟଣାପ୍ରବାହ ଆଗେଇ ଯାଇଥାଏ ଏବଂ ତା’ର ଆକୃଷ୍ଟ ହେବା ନ ହେବାର କିଛି ମୂଲ୍ୟ ନ ଥାଏ ।

 

ସଂସାର ଏକ ଉଦ୍ଭଟ ପରିକଳ୍ପନା । ବ୍ୟର୍ଥତା ଏଥିରେ ବହୁ ପରିମାଣରେ ପର୍ଯ୍ୟବସିତ–ସମସ୍ତଙ୍କର ବ୍ୟର୍ଥତା, ପ୍ରତ୍ୟେକ ମଣିଷର ବ୍ୟର୍ଥତା, ପ୍ରତ୍ୟେକ ସଂସାରୀର ବ୍ୟର୍ଥତା ।

 

ଯାହାଙ୍କୁ ଆମେ କହୁ ଅମଣିଷ, ସେଇଭଳି କେତେକଙ୍କର ଜୀବନର ଗତି ଏଥିରେ ପର୍ଯ୍ୟବସିତ ହେଇଛି । ସେମାନଙ୍କ ମଧ୍ୟରୁ କେତେକ କହନ୍ତି, ଜୀବନରେ ସବୁ ପାଇଛନ୍ତି, ଯାହା ଚାହିଛନ୍ତି ତା’ ପାଇଛନ୍ତି । ସେମାନେ ପୁଣି ବି କହନ୍ତି, ଆହୁରି ଯେମିତି କ’ଣ ବାକି ରହିଗଲା । ଚାହିବାର ଯେମିତି ଶାନ୍ତି ନାହିଁ । ସେମାନେ ବ୍ୟାକୁଳ, ବ୍ୟଥିତ ।

 

ସେମାନେ ପ୍ରତ୍ୟେକ ଅସାମାଜିକ, ଚୋର, ଡକାୟତ, ଖୁଣୀ, ବଦମାସ କିନ୍ତୁ ଏକାନ୍ତ ଭାବରେ ମଣିଷ; ଏଇ ଦୁନିଆର ମଣିଷ, ଏଇ ସଂସାରର ମଣିଷ । ମଣିଷର କାମନା, ବାସନା, ସ୍ନେହ, ପ୍ରେମ, ଶ୍ରଦ୍ଧା, ଘୃଣା, ଅହଙ୍କାର ଓ ସର୍ବୋପରି ଅପୂର୍ଣ୍ଣତାରେ ଭରପୁର ଗୋଟିଏ ଗୋଟିଏ ମଣିଷ ।

 

ସେଇ ମଣିଷ ଭଳି ସେମାନଙ୍କୁ ଦେଖିବାକୁ, ବୁଝିବାକୁ, ଅନୁଭବ କରିବାକୁ ଆପଣମାନଙ୍କୁ ମୋର ଅନୁରୋଧ ।

 

‘‘ବଦମାସ୍, କାହାଁକା ।’’

 

ଗୋଟାଏ ଅପରଛନିଆ ବାର ତେର ବରଷ ପିଲାର ହାତ ମୋଡ଼ିଧରି କୋଉ ଏକ ରାତିରେ ଜଣେ ଭଦ୍ରଲୋକ ତା’ ଗାଲରେ ଦି’ ଚଟକଣା କଷିଦେଲେ । ପିଲାଟାର ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା । ଭଦ୍ରଲୋକ ହେଲେ ବି ବାବୁଙ୍କର ପାପୁଲିଟା ଭାରି ଟାଣ । ପିଲାଟାର ଡାହାଣ ହାତରୁ ସୁଟକେଶ୍‍ଟା ଧସ୍ କରି ଖସି ପଡ଼ିଲା ।

 

କେତେ ଲୋକ ଜମା ହୋଇଗଲେ, କେତେ ଯାତ୍ରୀ । ବାଲେଶ୍ଵର ରେଲଷ୍ଟେସନ । ଏଇ ପାଞ୍ଚ ମିନିଟରେ ରେଲଗାଡ଼ିଟା ତା’ ବାଟରେ ଚାଲିଯିବ । ଷ୍ଟେସନ୍ ସାରା ଯେମିତି ଲୋକ ଭର୍ତ୍ତି ! କେତେ କଥା ପୁଣି ।

 

‘‘ପୋଲିସରେ ଦେଇ ଦିଅନ୍ତୁ ।’’

 

‘‘ଆରେ ବାବା, ଏଡ଼େ ଟିକେ ଟୋକାଟା । ’’

 

‘‘ଇଏ ପୁଣି...... ।’’

 

‘‘ପୋଲିସ । ପୋଲିସ ।’’

 

ଏହା ଭିତରେ ତା’ ଉପରେ କେଇଟା ବିଧାଗୋଇଠା ମୁକି ହୋଇଗଲା । ଚୋର ଟୋକାଟା ପ୍ରତି କାହାର ବା ସହାନୁଭୂତି ରହନ୍ତା ! କାହିଁକି ବା ରହିବ !

 

ପୋଲିସ ଆସି ପହଞ୍ଚିଗଲା । ରେଳବାଇ ପୋଲିସ । ‘‘ଆରେ ! ତୁ ସେଇ ଚନାଚୁର୍ ଟୋକା । ହାରାମଜାଦା, ଏ କାମ ବି ଚଳେଇଛୁ ।’’ ଠେଙ୍ଗୁଲିଟା ପିଲାଟିର କଙ୍କାଳରେ ଭୁଷି ହୋଇଗଲା । ତା’ ଆଖିରୁ ଠପ୍ ଠପ୍ ଚାରି ଆଠ ଟୋପା ଲୁହ ତଳେ ପଡ଼ିଗଲା । ପାଟିରୁ କିନ୍ତୁ ଉୁଁଚୁଁ କିଛି ବାହାରିଲା ନାହିଁ ।

 

ସେ ରାତିରେ ପ୍ରଥମ କରି ପୋଲିସ ତା’କୁ ଧରି ନେଇଗଲା ।

 

ହାତଗୋଡ଼ ବେଶ୍ ବଳିଲା ବଳିଲା । ମୁହଁଟି ସାମାନ୍ୟ ଲମ୍ବା । ପୂରିଲା ମୁହଁରେ ଲମ୍ବାସିଆ ଆଖି ଦି’ଟା ଭାରି ସୁନ୍ଦର । ବେଶ୍ ଭଲ ସ୍ୱାସ୍ଥ୍ୟ । ନାମ ବିକେଇ ଓରଫ ବିକଳ ସ୍ୱାଇଁ । ଘର ବାଲେଶ୍ଵର ସହରଠାରୁ ପାଞ୍ଚ ମାଇଲ ଦୂରରେ, ସାନ୍ତରାପୁରରେ ।

 

ଆଜିର ବିକଳ ଦାସ, ଦାମ ଜେନା, ହରି ମଳିକ, ପ୍ରକାଶ ଘୋଷ, ଅବନି ପାଠକ, ରାଜିବ ମନ୍ତ୍ରୀ, ସୁନ୍ଦର ଶାସ୍ତ୍ରୀ, ଏସବୁ ଏମିତି କେତେ ଓରଫ । ଗାଁ ନାଁ ବି ସେମିତି କେତେ କ’ଣ । କେତେବେଳେ ଓଡ଼ିଶାର କୋଉ କୋଉ ଗାଁରେ, କେତେବେଳେ ବଙ୍ଗଳାର କୋଉଠି, କେତେବେଳେ ବିହାରରେ, କେତେବେଳେ ରାଜସ୍ଥାନରେ, କେତେବେଳେ ଆଉ କୋଉଠି । ଏସବୁ ଭିତରେ ତା’ର ବାପ ମା’ ଦେଇଥିବା ନାଁ, ସେ ଜନମ ହୋଇଥିବା ଗାଁର ନାଁ କୁଆଡ଼େ କେବେଠୁ ଲୁଚିହଜି ଗଲାଣି ।

 

ଏତେ ନାଁ ଧରି, ଏତେ ଜାଗାର ଲୋକ ହୋଇ ଏଇ ବାଇଶି ତେଇଶି ବରଷର ଯୁବକ ସେ ରାତ୍ରିର ସେଇ ଟୋକା । ତା’ର ହସିଲା ହସିଲା ମୁହଁରେ ସୀମାହୀନ ଆନନ୍ଦ । ଏ ସେଇ ବିକେଇ ।

 

ସେଦିନ ତା’ ସହିତ ଦେଖା ହେଲା । ଭାରି ସ୍ଫୂର୍ତ୍ତି । ଅପାର ଆନନ୍ଦ । ବେପରୁଆ । ତା’ର ଏକମାସ ହାଜତ ପରେ ସଜାର ତିନିମାସ ଭୋର ହୋଇଯାଇଥାଏ । ଏକମାସ ବାକି ଥାଏ-। ପରିଚୟ ପଚାରୁ ପଚାରୁ ସେ କହିଲା, ‘‘ଅଜବ ବିଚାର । ପ୍ରଥମରୁ ସଜା ଦେଇଥିଲେ ମୁଁ ମୋର ଚାରିମାସ ପୂରେଇ ବାହାରିଯିବାକୁ ବସନ୍ତିଣି ।’’

 

‘‘ତୁମେ କ’ଣ ମାନିଗଲ ? କାହିଁକି ?’’

 

ସେତେବେଳେ ସେ ତା’ର ନାମ ରଖିଥିଲା ଦାମ ଓଝା । ‘‘କ’ଣ ସତରେ ପାକେଟ୍ ମାରିଥିଲ ?’’

 

‘‘ସେଥିରେ କିଛି ଯାଏ ଆସେନା । କରେ ନ କରେ ଶଳା ପୋଲିସ ତ ଧରିଛି । ମାନିଗଲେ ଶୀଘ୍ର ଛୁଟି ।’’

 

‘‘କେମିତି ?’’

 

‘‘ନ ମାନିଲେ, କେସ୍‍ ଗଡ଼ି ଚାଲିଥିବ । ହାଜତରେ ଦିନଗୁଡ଼ାକ ବଢ଼ି ଚାଲିଥିବ । କେତେ ଲୋକ ଏମିତି ହାଜତରେ ଅଛନ୍ତି । କାହାର ଛ’ମାସ, କାହାର ଆଠ ମାସ, କାହାର ବରଷେ, କାହାର ଦେଢ଼ ବରଷ ଗଲାଣି । ବୋକାଗୁଡ଼ା, କେସ୍‍ ଛିଡ଼ୁନି । ଏ ଘୋଷରା ବଡ଼ ବାଧେ । ହଁ ଭରିଦେଲେ ଏ ସବୁରୁ ଏକବାରକେ ମୁକ୍ତି । ହାକିମ ଦେଇ ଦେଇ ଦି’ ଚାରି ମାସ ଦବ । ଆମ ଜୀବନରେ ଆଉ ଗୋଟାଏ ଅଧିକା ସଜାର ମୂଲ୍ୟ ବା କ’ଣ ! ସେ ବା କେଇଟା ଦିନ । ଏମିତି ହାଜତରେ ରହିଗଲେ ତା’ର କେତେଗୁଣ ଦିନ ଯେ ରହିଯିବ, କିଏ ଜାଣେ ! ସମୟ କାହିଁ ! ହାତରେ ସମୟ ଅଳ୍ପ । ମନ ଉଡ଼ୁଛି, ଆକାଶରେ ବାଜପରି । ତଳକୁ ଲକ୍ଷ୍ୟ ରଖି ଉଡ଼ୁଛି । ପାରା, କପୋତ କେତେ କେତେ ରଙ୍ଗବେରଙ୍ଗ ଚଢ଼େଇ ଧରିବାକୁ । ହାଜତରେ ଏତେଗୁଡ଼ା ଦିନ ମିଛଟାରେ କ’ଣ ରହିହୁଏ ।’’

 

ଏ ଏକ ଅଦ୍ଭୁତ ପରିଚୟ ।

 

ସାନ୍ତରାପୁରର ଦିନେଇ ସ୍ୱାଇଁ । ବିଚରା ଭାରି ଅମାୟିକ ମଣିଷ । ଲୋକ କ’ଣ ଏତେ ସରଳ ହୁଅନ୍ତି ! ତା’ କଛା କାଟିନେଲେ ବି ସେ କିଛି କହିବ ନାହିଁ । ତା’କୁ ଦେଖିଲେ ଯେମିତି ମନେହୁଏ ଲୋକଟା ଟିକିଏ ହୁଣ୍ଡା । କିନ୍ତୁ ପ୍ରକୃତରେ ସେ ହୁଣ୍ଡା ନୁହେଁ । ତା’ର ବେଶ୍ ବୁଦ୍ଧିଥିଲା । ଲୋକଟାର ସହୃଦୟତା ଏତେ ବେଶୀ ଯେ କାହାରି ଦୁଃଖ ଦେଖିଲେ ସେ ଏକବାରକେ ବିକଳ ହୋଇଉଠେ । ସାହାଯ୍ୟ କରିବାପାଇଁ ପ୍ରାଣପଣେ ଲାଗିପଡ଼େ । କାହାରି ମନ୍ଦ କେବେ କରେନା; ପାଞ୍ଚେନା ମଧ୍ୟ । କାହାକୁ ମଧ୍ୟ ତା’ର ଶତ୍ରୁ ବୋଲି ଭାବି ପାରେନା ।

 

ଜମି ବୋଲି ଚାରିମାଣ । ତା’ ଭିତରୁ ଦେଢ଼ମାଣ ସରିକି ଟାଙ୍ଗରା ଭୂଇଁ । ମାଣେହବ ପାଣିପାଟ ଗୋହିରା । ସେଥିରେ ସେ ଲାଗିପଡ଼େ ଦି’ଟା ଛୋଟ ପିଲାଙ୍କୁ ସାଙ୍ଗରେ ଧରି । ପିଲାଙ୍କର ମା’ ବି ଅନେକ ସମୟରେ ବିଲବାଡ଼ିରେ ତା’ ହାତରେ ହାତ ମିଳାଏ । ହେଲେ ବେଶୀ ସମୟ ରହିପାରେନା । ଘରେ ଯେ ଆହୁରି ତିନିଟା ପିଲା । ତା’ ଭିତରୁ ଗୋଟାଏ ଜାଁବାଳିଆ । ଯେତେବେଳେ ପିଲା ଦୁଇଟି ସେମିତି ଜାଣିବା ଶୁଣିବାର ହୋଇ ନ ଥିଲେ, ସେତେବେଳେ ସେ ଏକୁଟିଆ ଲହୁକୁ ଝାଳ କରି ଏଇ ଚାରିମାଣ ଜମିରେ ସୁନା ଫଳାଉଥିଲା । ମା’ କାଳୀଙ୍କ ଉପରେ ତା’ର ଭରସା । ମା’ କାଳୀ ବି ତା’ର ମନ ଜାଣି ଫଳ ଦିଅନ୍ତି । କିଛି କାହିଁରେ ତା’ର ଅଭାବ ନାହିଁ । ଲାଗେ ଲାଗେ ପାଞ୍ଚପୁଅ । ପରୁଆ କ’ଣ ! ଏଡ଼େ ବଡ଼ କୁଟୁମ୍ବ ଚଳେଇ ବି ତା’ ହାତରେ ଏବେ ବେଶ୍ ଦି’ ପଇସା ଅଛି । ଲୋକେ କହନ୍ତି ଦିନେଇଟା ସତେ କପାଳିଆ ।

 

ଏତେ ହୋଇ ବି ତା’ ମନରେ କି ତା’ ସ୍ତ୍ରୀ ମନରେ ଗର୍ବ ଅହଙ୍କାର କିଛି ନଥାଏ । ଗାଁର ସମସ୍ତଙ୍କ ସହିତ ତାଙ୍କର ବେଶ୍ ଭାବ । ସୁଖଦୁଃଖରେ ସାହାଯ୍ୟ ସହାନୁଭୂତି । ପଡ଼ିଶାଙ୍କ ସହିତ ଭାବ ଅଭାବ ମେଣ୍ଟଣ ବି ବେଶ୍ ଚଳେ । ଦୁଃଖୀରଙ୍କି କେହି କେବେ ଦୁଆରୁ ନିରାଶ ହୋଇ ଫେରେନି । ଯାହା ଥାଏ, ଘରେ ଯାହା ହୋଇଥାଏ, ଶାଗପଖାଳ, ଭାତଡାଲି ବା ମାଛମାଂସ ଯାହାହଉ ସେଥିରେ ତା’ର ଭାଗ ବସେ ।

 

ଏଇ ଦିନେଇ ସୋଇଁର ପଞ୍ଚମ କୋଳରେ ଆସିଥିଲା ବିକୁ ଓରଫ ବିକଳ ସ୍ୱାଇଁ । ଦିନ ପରେ ଦିନ ସେ ବଢ଼ି ଲାଗିଲା । ଦେଖୁ ଦେଖୁ ମାସେ, ଦୁଇମାସ, ଚାରିମାସ, ବରଷେ ହୋଇଗଲା-। ବେଶ୍ ବଢ଼ୁଥାଏ । ଅନ୍ୟ ଚାରଟି ପିଲାଙ୍କ ପରି ବେଶ୍ ଡଉଲଡାଉଲ । କିଛି ବୋଲି ସ୍ୱାତନ୍ତ୍ର୍ୟ ନଥାଏ । ସାଧାରଣ ପରିବାରର ସାଧାରଣ ପିଲା । ମାଟି ଧୂଳିରେ ସବୁବେଳେ ଗୋଳାମିଶା-। ଦେହଟାକୁ ପୋଛିଦେଲେ କନା ଖଣ୍ଡିକ ମାଟି ଗୋବରକନା ପାଲଟିଯିବ । ଯୋଉଠି ପାରେ ସେଠି ଶୋଇ ପଡ଼େ । ସମସ୍ତଙ୍କ ସାଙ୍ଗରେ ଗୁଣ୍ଡାଏ ଗୁଣ୍ଡାଏ ଖାଏ । ଢୋକେ ଢୋକେ ତୋନି ପିଏ-। ଯେତେବେଳେ ପାରେ ସେତେବେଳେ ମା’ କ୍ଷୀର ଖାଏ । ବଡ଼ ଭାଇଙ୍କ ପଛରେ ଖେଳି ବୁଲେ-। ପଡ଼ିଯାଏ, ଗଡ଼ିଯାଏ । ଖଣ୍ଡିଆଖାବରା ହୁଏ । କାନ୍ଦେ । ମା’ ଦଉଡ଼ି ଆସି ଝାଡ଼ି ଦେଇ କୋଳ କରେ । ସେ ତୁନି ହୋଇଯାଏ । ତା’ ଖଣ୍ଡିଆଖାବରା ବି ଭଲ ହୋଇଯାଏ । ଓଷଦପାଣିର ଦରକାର ପଡ଼େନା ।

 

ଦିନେ ଦିନେଇର ଦିହ ଟିକିଏ କ’ଣ ହେଲା । ଏମିତି ଦିହ କେତେବେଳେ କିମିତି ଅସୁଖ ହୁଏ । ସେଥିକି ବା କାର ନିଘା ଥାଏ । ସେଦିନ ତା’ର ଆଉ ବିଲକୁ ଯିବାକୁ ଇଚ୍ଛା ହେଲାନି । କାମ ବି ବିଶେଷ ନ ଥାଏ । ପିଲାଙ୍କର ମା’ ଟିକିଏ ଘଷିମୋଡ଼ି ଦେଲା, ଦିହ ମଜରା ହୋଇଥିବା ପରା । ପିଛିଲା କେଇ ଦିନରେ ରୁଆରୋଇ ନେଇ ଭାରି ଖଟଣି ପଡ଼ିଥିଲା । ଗାଧୁଆବେଳକୁ ତତଲା ଦି’ଟା ରାନ୍ଧିଦେଲା । ମୁଗ ଡାଲିରେ ଆଳୁ ଦି’ଟା ପକେଇ ଭରତା କରିଥିଲା । ହେଲେ ଦିନେଇର ପାଟିକି କିଛି ରୁଚିଲା ନାହିଁ । ସେମିତି ଦି’ ଚାରିଗୁଣ୍ଡା ଖାଇ ଦେଲା । ପୁଣି ଶୋଇପଡ଼ିଲା । ସୂର୍ଯ୍ୟ ନଇଁ ଆସିଲାବେଳକୁ ମାଡ଼ି ଆସିଲା ହାଡ଼ଭଙ୍ଗା କମ୍ପ । ଦିହରେ ଖଇ ଫୁଟିଲା । ଘଡ଼ିଏ ଉତ୍ତାରେ ଦି ଝଲକା କଳା କଳା ବାନ୍ତି ହୋଇଗଲା । ମୁହଁ ସଞ୍ଜବେଳକୁ ସବୁ ଶେଷ । ପାଞ୍ଚଟା ଛୋଟ ପିଲା ଓ ତାଙ୍କର ମା’ ଏବଂ ତା’ରି ଲହୁରେ ଉର୍ବରା ଚାରିମାଣ ଧାନ କିଆରୀକୁ ଛାଡ଼ି ଦିନେଇ ଚାଲିଗଲା । ଆଖିପିଛୁଳାକେ ଯେମିତି ଗୋଟାଏ ଉଠି ଆସୁଥିବା ପରିବାରର ସବୁ ଶେଷ ହୋଇଗଲା । ଦୁନିଆର ଯେକି ନୀତିନିୟମ, କିଛି ଜାଣିହୁଏନା ।

 

ବିକୁକୁ ସେତେବେଳେ ଦି’ ବରଷ ପୂରିବାକୁ ଆଉ ପାଞ୍ଚଦିନ ବାକି ଥାଏ ।

 

ବାପଛେଉଣ୍ଡ ପାଞ୍ଚଟା ପିଲା । ଚାରିମାଣ ଜମିରୁ ଭାଗଧାନ କେତେବା । ହାତଚାଷ ଆଉ କିଏ ବା କରିବ । କିନ୍ତୁ ଏଇଆକୁ ସମ୍ବଳ କରି ଦିନେଇର ବିଧବା ସ୍ତ୍ରୀ ପିଲାମାନଙ୍କୁ ମଣିଷ କରିବାକୁ ଚେଷ୍ଟା କଲା । ପ୍ରଥମ ଦି’ଟାକୁ ଆଖପାଖ ଗାଁରେ ଗାଈଆଳ କରି ରଖେଇ ଦେଲା । ଦି’ଟା ପେଟର ଚିନ୍ତା ଗଲା, ଆଉ ମଧ୍ୟ ମାସକାବାରି କିଛି ଟଙ୍କା, ଧାନ ମିଳିଲା ।

 

ବିକୁ ତା’ର ଉପର ଦୁଇ ଭାଇଙ୍କ ସହିତ ଖେଳି ବୁଲିଲା । ଆଉ କ’ଣ ବା କାମ ଅଛି । ଯାହା ଟିକେ ଚାଟଶାଳିକୁ ସେମାନେ ଯାଉଥିଲେ, ତା’ ତ ବନ୍ଦ ହୋଇଗଲା । ଅନ୍ୟ କାମ କରିବାର ବୟସ ଏମାନଙ୍କର ହୋଇ ନ ଥିଲା । ଆଉ ମଧ୍ୟ ମା’ କଥାକୁ ବା କିଏ ମାନେ ।

 

ଏମିତି ଆଉ ତିନିବର୍ଷ ବିତିଗଲା । ବିକୁକୁ ପାଞ୍ଚ ବରଷ । ଆଉ ଗୋଟିଏ ଭାଇ ପର ଘରେ ମୁଣ୍ଡ ଗୁଞ୍ଜିଲା । ଆଉ ଗୋଟିଏ ବରଷ ନ ପୂରୁଣୁ ସବା ସାନ ଭାଇଟିର ସେଇ ଦଶା ହେଲା-

 

ବିକୁକୁ ଛ’ ବରଷ । ଘରେ ମା’ ଓ ପୁଅ । ଗାଁର ପଞ୍ଝାଏ ପିଲା ତା’ର ସାଙ୍ଗ । ସେ ଖେଳେ ବୁଲେ । ପିଲାଙ୍କ ସହିତ କଳିକଜିଆ ହୁଏ । କଳିକଜିଆ ମେଣ୍ଟିଯାଏ । ପୁଣି ଖେଳ ହୁଏ । ଭୋକ ହେଲେ ଘରକୁ ଦଉଡ଼ି ଆସେ । ଯାହା ଦି’ଟା ଖାଇ ଦେଇ ପୁଣି ଦାଣ୍ଡରେ । କେତେ ରକମର ଖେଳ । ବାଲିଘର, ବାହାଘର, ବିଲୁଆଗାତ, କଙ୍କିଧରା, ଡାଙ୍ଗପତରରେ ଗାଁର ସାହୁକାରର ଦୋକାନ ଓ ଏମିତି କେତେ କ’ଣ । ଏସବୁ ଖେଳର ଶେଷ ନଥାଏ ଦିନ ସାରା । ସନ୍ଧ୍ୟା ହେଲା ତ ସମସ୍ତେ ଗଲେ ଯେଝା ଘରକୁ । ବିକୁ ଗଲା ତା’ ଘରକୁ । ଯାହା ଦି’ଟା ଖାଇ ଦେଇ ଯେ ଶୋଇଲା ଯେ ତା’ ପରଦିନ ସକାଳ । ଖାଇବାପିଇବାରେ ବିକୁ କେବେ ଅଝଟ ହୋଇନି । ପିନ୍ଧିବାର ଠିକ୍ ଠିକଣା ନ ଥାଏ ।

 

ଏମିତି ଦି’ ବରଷ କଟିଗଲା । ବିକୁ କେବେ ଚାଟଶାଳି ମୁହଁ ଦେଖିନି । ଖେଳବୁଲ, ବରକୋଳି, ଭଇଞ୍ଚିକୋଳିତୋଳା, ମାଛଧରାରେ ତା’ର ସମୟ କଟିଗଲା ।

 

ବିକୁକୁ ଆଠ ବରଷ । ପିଲାଟା ଆଉ ବସି ଖାଆନ୍ତା କାହିଁକି । ଆର ଭାଇମାନେ ତ ନିଜର ପେଟ ସମ୍ଭାଳି କିଛି କିଛି ପଇସା କମଉଛନ୍ତି । ଆଗକୁ କେତେ ଖରଚ ଅଛି । ବଡ଼ଟିକୁ ତ ଆସି ପନ୍ଦର ପୂରି ଷୋହଳ ଚାଲିଲାଣି । ଆଉଟିକେ ମୁଣ୍ଡକୁ ହାତ ପାଇଗଲେ ସେ ଆସି ଜମିବାଡ଼ି ହାତଚାଷ କରିବ । ସେତେବେଳକୁ ଚାଷଫନ୍ଦା କରିବାକୁ ତ କିଛି କମ୍ ଟଙ୍କା ଦରକାର ହେବନି !

 

ବିକୁର ଏଥର ପାଳି ପଡ଼ିଲା ।

 

ଗାଁର ମାଧବ ପରିଡ଼ା ବାଲେଶ୍ଵର କିଲଟିରୀରେ ପିଅନ କାମ କରେ । ସେଠାର ବଡ଼ବାବୁଙ୍କ ବସାରେ ବୋଲହାକ କରିବାକୁ ପିଲାଟିଏ ଦରକାର ପଡ଼ିଲା । ସେ ବିକୁକୁ ନେଇ ତାଙ୍କ ପାଖରେ ରଖେଇ ଦେଲା । ମାସକୁ ଦରମା ଛ’ ଟଙ୍କା !

 

ବିକୁ ଆସିଲା ସହରକୁ । କେତେବଡ଼ ସହର (ଅବଶ୍ୟ ବିକୁପାଇଁ) । କେତେ ରକମର ଦୋକାନ । କେତେ କଥା କାରବାର ହୁଏ ସେଠି । ଗାଁଠୁ ମୋଟେ ଛ’ ମାଇଲ ଦୂର ହେଲେ ବି ବିକୁ ଆଗରୁ କେବେ ବାଲେଶ୍ଵର ଆସି ନ ଥିଲା । ଆସିବ ବା କାହିଁକି ! କ’ଣ ବା ଦରକାର ଥିଲା !

 

ପ୍ରଥମେ ତା’କୁ କେମିତି ଅଡ଼ୁଆ ଲାଗିଲା । ଗାଁ ପିଲା କିନା । ତା’ପରେ ବି ବୟସ ଅନେକ କମ୍ । ଆଶ୍ଚର୍ଯ୍ୟ ହବାର ସୀମା ସେ ସେତେବେଳକୁ ପାରହୋଇ ନ ଥାଏ । ସବୁଗୁଡ଼ାକ କି ଭଳିଆ, କେମିତିକା ସେ ଅନୁଭବ କଲା । ତା’କୁ ବେଶ୍ ଆନନ୍ଦ ଲାଗିଲା ।

 

ଏସବୁ ଭିତରେ କିନ୍ତୁ ତା’ର ଅନେକ ଦୁଃଖ ରହିଗଲା । ବାବୁଙ୍କ ଘରେ ବୋଲହାକ, ବାସନମଜା, ପିଲା କାଖେଇବା ଇତ୍ୟାଦି କେତେ କାମ । ସବୁ ତା’କୁ ନୂଆ ହୋଇ କରିବାକୁ ପଡ଼ୁଥାଏ । ଆଗରୁ କିଛି କରି ନ ଥିଲା । ବୋଉ କଥା କିଏ ବା ଶୁଣେ । ବାଗୁଡ଼ି, ଡୁ ଡୁ, ଗୁଳିଖେଳ, ମାଛଧରା, କାହିଁ ଆଉ ଏ କାମ, ସେ କାମ କାହିଁ ! ଦି’ଟା ଭିତରେ ଯେ କି ପ୍ରଭେଦ– ଗୋଟିଏ ଫଳପୁଷ୍ପଭରା ବନାନୀ, ଅନ୍ୟଟି ନିରାଟ ମରୁଭୂମି, ଗୋଟିଏ ସ୍ନେହଶୀଳା ପ୍ରେମମୟୀ ଅପ୍‌ସରୀ, ଅନ୍ୟଟି ପାଷାଣବକ୍ଷା ରାକ୍ଷସୀ । ଏ ପ୍ରଭେଦ ସେ ବେଶ୍ ଅନୁଭବ କଲା । ନ କରନ୍ତା ବା କିପରି । ମା’ର ବାପଛେଉଣ୍ଡ କୋଡ଼ପୋଛା ପୁଅ । ପୁଣି ସମସ୍ତେ ଯେତେବେଳେ ଦୂରରେ ସେ ଏକା ମା’ ପାଖରେ । ମା’ର ବନ୍ଧବାଡ଼ହୀନ ସ୍ନେହ ସେ ପାଇଥିଲା । ସେଥିରେ ଶୃଙ୍ଖଳା ନ ଥିଲା, ଶାସନ ନ ଥିଲା, ଆଘାତ କିମ୍ବା ପ୍ରତିଘାତ କିଛି ନ ଥିଲା । ସେ ଏପର୍ଯ୍ୟନ୍ତ ଜାଣିଥିଲା ଯେ ସାଙ୍ଗସାଥୀ, ଖେଳବୁଲ ଏବଂ ମା’ଠାରୁ ଚାହିବା ଆଉ ପାଇବା ନେଇ ଦିନ ଆସେ ଆଉ ଆଖିରେ ବୋଝେ ନିଦ ଭରିଦେଇ ରାତି ଆସେ । ଜୀବନ କହିଲେ ସେ କିଛି ବୁଝେନା; ବୁଝିବ ବା କେମିତି, ବଏସ ତ ହେଇ ନ ଥିଲା । ତେବେ ଏଇଆ ଥିଲା ତା’ର ଜୀବନ ଏପର୍ଯ୍ୟନ୍ତ ।

 

ସେଇ ବିକୁ ଆସିଲା ସହରକୁ । ବାବୁଙ୍କର, ବାବୁଆଣୀଙ୍କର, ବାବୁଆଣୀଙ୍କ ପିଲାଛୁଆଙ୍କର, ଗଲା ଅଇଲାଙ୍କର ବୋଲହାକ ଶୁଣିବାକୁ । କେତେ କାମ ସେମାନେ ବଢ଼େଇଲେ, କେତେ କାମ ତା’କୁ କରିବାକୁ ହେଲା । ଭାରି ଜଞ୍ଜାଳ । ଏଇ ହଠାତ୍ ପରିବର୍ତ୍ତନ ତା’କୁ ବାଧିଲା ! ବିକୁକୁ କେମିତି ଦୁଃଖ ଲାଗିଲା । କାହାକୁ ବା ଲାଗି ନ ଥାନ୍ତା !

 

ସବୁ ଦୁଃଖକଷ୍ଟ ମାଡ଼ିମକଚି ବିକୁ କାମ କଲା । କ’ଣ ବା କରିଥାନ୍ତା ! ଇଚ୍ଛା ହଉଥାଏ ପଳେଇ ଯାଆନ୍ତା । ଗାଁକୁ ଚାଲି ଚାଲି ଯା’ନ୍ତା । ମା’ ପାଖକୁ ଫେରିଯାନ୍ତା । ଯାଉଛି ବା କେମିତି । ବାଟ ତ ଦେଖିନି । ଦେଖିଥିଲେ ବି କ’ଣ ହୁଅନ୍ତା ! ସବୁବେଳେ ସମସ୍ତଙ୍କ ଆଖି ଆଗରେ ସେ ତ ଏପାଖ ସେପାଖ ହଉଥିଲା । ଟିକେ ଆଡ଼ ଉହାଡ଼ ହୋଇଗଲେ ଡାକରା । କେମିତି ଯିବ ? ତା’କୁ ଡର ମାଡ଼େ । ଏମାନେ ଧରି ମାଡ଼ ଦେବେନି ତ ? ଆଉ କ’ଣ ବି କରି ପାରନ୍ତି ! କିଏ ଜାଣେ !

 

ବେଳେ ବେଳେ ମାଡ଼ ବି କେତେଥର ଖାଇଲାଣି । ବାବୁଙ୍କ ପିଲାମାନେ ଭାରି ଚଗଲା-। ବାବୁଘର ପିଲା କିନା । ଚାକରବାକରଙ୍କ ଉପରେ ସେମାନଙ୍କର ଭାରି ଜାହିରୀ । ବଡ଼ ଚାକର ହେଲେ ଗୋଟେ କଥା । ଛୁଆ ଚାକର ଅବସ୍ଥା । ବାବୁଙ୍କର ଛୁଆବାବୁ ବାବୁଆଣୀମାନେ କୁକୁର ବିଲେଇ ଛୁଆଙ୍କଠାରୁ ବି ବଳେଇ ଦିଅନ୍ତି । ବିକୁ ସେଥିରୁ ବାଦ ଯାଇନି । ବାବୁଆଣୀଙ୍କୁ ଏସବୁ ଭାରି ମଜା ଲାଗେ । ହସି ହସି ଗଡ଼ିଯାଆନ୍ତି । ବାବୁ ଦେଖିଲେ ହସି ଦିଅନ୍ତି; ପଛେ ବିରକ୍ତ ହେଲାଭଳି ପିଲାଙ୍କୁ କହନ୍ତି, ଏମିତି ନ କରିବାକୁ, ଏଗୁଡ଼ା ଭଲ ନୁହେଁ । ସେ ସେତକ କିନ୍ତୁ ବିଶେଷ କାଟୁ କରେନା ।

 

ବିକୁକୁ ଭାରି କାନ୍ଦ ଲାଗେ । କୋହ ଉଠେ । କୋହ ଚାପିଦେଇ ରହିଯାଏ । ଏଠି କାନ୍ଦିବାର ମୂଲ୍ୟ କ’ଣ ବା ଅଛି । ଥରେ କାନ୍ଦିଥିଲା ଯେ ବାବୁଆଣୀ କେତେ କ’ଣ ଛିଗୁଲେଇ କରି କହିଲେ । ଖାଲି ଗାଁ ହୋଇଥାନ୍ତା କି ! ଏମିତି କେତେ କେତେ ପିଲାଙ୍କୁ ସେ ଜବତ କରିଦେଇଛି । ଯଦି ନ ପାରିଛି, କୋହ ଉଠେଇ କାନ୍ଦି ମେଦିନୀ କମ୍ପେଇ ଦେଇଛି । ଆଉ ସେଇ କୋହର ରାହାଧରି ମା’ ତା’ର ଗାଁକୁ ଥରେଇ ଦେଇଛି । ଦୁଇ ଚାରିଦିନ ପର୍ଯ୍ୟନ୍ତ ସେ ରାମାଧୂମା କଜିଆର ଶେଷ ହୋଇନି । ବାଦୀ-ପ୍ରତିବାଦୀଙ୍କର ରାଣ୍ଡ, ଆଣ୍ଠୁକୁଢ଼ୀ, ଯୋଗିନୀଖାଈ, ପୁତଖାଈ, ନିଅଁଶେଈ ଶବ୍ଦରେ ଗାଁଟା ପବିତ୍ର ହୋଇଯାଇଛି । ଆଜି କିନ୍ତୁ ସବୁ ଓଲଟି ଯାଇଛି । ଏ ଗାଁ ନୁହେଁ, ବାଲେଶ୍ଵର ସହର । ଏଠି ମା’ ନାହିଁ, ଅଛି କିଲଟିରୀ ବଡ଼ବାବୁଙ୍କର ବାବୁଆଣୀ ଓ ତାଙ୍କର ପିଲାମାନେ ଯେଉଁମାନେ ବି ଛୁଆବାବୁ ବାବୁଆଣୀ । ଏଥିରେ ବିକୁ ଆଉ ବା କ’ଣ କରନ୍ତା । କୋହ ଚାପି ରହିଯାଏ । କରମକୁ ଆଦରି ସହିଯାଏ । ଯେତେହେଲେ ମଣିଷଛୁଆ ତ ! ମନଭିତରେ ଭାରି ଗୋଟାଏ ନିଆଁ ଜଳି ଉଠେ । ସେ ନିଆଁ ସାଥେ ସାଥେ କାହାରିକୁ ଜାଳିପୋଡ଼ି ପାରେନା । ତେଣୁ ଲିଭି ଯାଏନା । ସେ ନିଆଁର ପ୍ରଖରତା ଓ ଉଷ୍ଣତା ଧୀରେ ଧୀରେ କମିଯାଏ । କିନ୍ତୁ ପୂରା କମେନା-। ସେ ତା’ର ଦାହିକା ଶକ୍ତି ନେଇ ମନଭିତରେ ବେଳ ଉଣ୍ଡି ରହିଯାଏ । ବେଳ କ’ଣ କେବେ ଆସିବ-! ସୁଯୋଗ କ’ଣ କେବେ ମିଳିବ ! ଏ ହୀନିମାନର ପ୍ରତିଶୋଧ କ’ଣ କେବେ ନେଇ ହେବ ।

 

ଏମିତି ଚାରିମାସ ବିତିଗଲା ।

 

ଏଇ ଚାରିମାସରେ ବିକୁ ସହରୀ ପିଲାଙ୍କର ଅନେକ ଚାଲ୍ ଶିଖିଗଲା । ଅନେକ କଥା ବି ଜାଣିଗଲା । ସେଠି ତ କିଲଟିରୀର ବଡ଼ବାବୁ ଏକୁଟିଆ ନ ଥିଲେ । ଆଉ ଆଉ କେତେ ବାବୁଭୟା ଥିଲେ । ସେମାନଙ୍କର ବି ଚାକର ପିଲାଟିଏମାନ ଥିଲେ । ସେମାନଙ୍କ ସହିତ ବିକୁର କେତେବେଳେ କେତେବେଳେ ଦେଖାହୁଏ । ପ୍ରଥମେ ଥଙ୍ଗା ଥଙ୍ଗା ଚିହ୍ନାଜଣାରୁ ବେଶୀ ଚିହ୍ନାଜଣା ହୋଇଗଲା । ସେମାନଙ୍କ ଭିତରେ କେତେ କଥା ପଡ଼େ । ମା’ (ବାବୁଆଣୀ) ଅବଶ୍ୟ ଅନ୍ୟ କାହାରି ସହିତ ସାଥୀ ସାଙ୍ଗ ହେବାକୁ କଡ଼ା ବାରଣ କରିଥିଲେ । ସେ ବାରଣ କ’ଣ ମାନିହୁଏ ସବୁବେଳେ, ମଣିଷ ତ ଗୋଷ୍ଠୀରେ ରହିବା ପ୍ରାଣୀ । ନିଜ ସ୍ତରର ଜଣେ ଦି’ଜଣ ଦେଖିଲେ, ଦେଖୁ ଦେଖୁ ଚିହ୍ନା ପରିଚୟ ହେଲେ, ଟିକେ ଦୁଃଖସୁଖ ନ ହେଲେ କେମିତି ବାଧେ । ମଣିଷର କେତେ କଥା ଅଛି । ତା’ର କେତେ ଉପଭୋଗ ଅଛି । ତା’ର କେତେ ଅପଭୋଗ ବି ଅଛି । ଏଗୁଡ଼ାକ ସବୁ ବା କିଛି ଅଂଶ କାହାକୁ କହିବାରେ ସେ ଯେ କେତେ ତୃପ୍ତିପାଏ ତା’ ମଣିଷ ମାତ୍ରେ ଜାଣେ । ଏଥିରୁ ସେ ଲାଭ କରେ ବ୍ୟାପ୍ତି, ଯାହା ତା’ର ଏକାନ୍ତ କାମ୍ୟ । ଏଇ ବ୍ୟାପ୍ତିରୁ ସେ ପାଏ ଦୁଃଖ ପାଇଁ ସହାନୁଭୂତିଶୀଳ ସହନଶୀଳତା, ସୁଖପାଇଁ ସମ୍ବେଦନଶୀଳ ଉପଯୋଗିତା । ବିକୁ ଗୋଟାଏ ମଣିଷପିଲା । କିଲଟିରୀର ବଡ଼ବାବୁଙ୍କର ଗୃହିଣୀ ବୋଧହୁଏ ଏହା ଭୁଲି ଯାଇଥିଲେ ।

 

ବିକୁ ଏମିତି କରି କେତେ କଥା ଶିଖିଲା । କେତେ ନୂଆ କଥା । କେତେ ପୁରୁଣା କଥା-। ସେଗୁଡ଼ାକ ଅବଶ୍ୟ ସେତେ ପୁରୁଣା ନୁହେଁ କାରଣ ସହରୀସ୍ପର୍ଶରେ ତାଙ୍କର ଆକାରପ୍ରକାର ଅନେକ ବଦଳି ଯାଇଥିଲା । ସେଗୁଡ଼ିକୁ କାମରେ ଲଗେଇବାକୁ ବିକୁ ମନୋଯୋଗ ଦେଲା-

 

ବାବୁଙ୍କ ସାଙ୍ଗରେ ସେ ସଉଦା କିଣିବାକୁ ଯାଏ । ବାବୁ କିଣନ୍ତି, ପଇସା ଦିଅନ୍ତି, ସେ ବୋହି ଆଣେ । ସବୁଦିନେ ସବୁ ସଉଦା ପାଇଁ ବାବୁ ତ ଆଉ ଯାଇପାରନ୍ତି ନାହିଁ । ବେଳ କାହିଁ ? ବାବୁହୋଇ କେତେ ଝାମ୍ପିଲା ! ସେ ଏକୁଟିଆ ଯାଏ । ପଇସା ନେଇଯାଏ । ବରାଦ ମୁତାବକ ଜିନିଷ କିଣି ଆଣେ । ଏଇଟା ଅବଶ୍ୟ ସେମିତି କିଛି କଥା ନୁହେଁ । ବିକୁକୁ କିନ୍ତୁ କେମିତି ଭାରି ଭାରି ଲାଗେ । ହାତରେ ଏତେ ପଇସା ଧରି ସେ ଯାଏ । ଏକୁଟିଆ ଜିନିଷ କିଣେ । ଏମିତି କେତେଥର ଯିବାରୁ ତା’ର ଭାରିଭାରିଟା କମିଗଲା ।

 

ଭାଇଗା ତା’କୁ ଏହା ଭିତରେ କେତେଥର ବିଡ଼ି କଳେ କଳେ ପେଇଲାଣି । କେତେବେଳେ କେତେବେଳେ ବି ସିଗାରେଟ୍ ଦି’ ଚାରିକଳ ଦେଲାଣି । ଭାଇଗା କହେ ବିଡ଼ି, ସିଗାରେଟ୍ ଟାଣିଲେ ତା’କୁ କେମିତି ଭାରି ମଜା ଲାଗେ । ସବୁ ବଡ଼ବାବୁ ତ ସିଗାରେଟ୍ ଟାଣୁଛନ୍ତି-। ପଇସା କ’ଣ ମିଳିବନି । ବାବୁଘରର ଏତେ ପଇସା ସେ କାରବାର କରୁଛିଟି । ପଇସା ତା’ର ଅଭାବ ନାହିଁ । ଏ ଜିନିଷରୁ କିଛି କମେଇ ଦେଲେ କି ସେ ଜିନିଷକୁ କିଛି କମ୍ ନେଇ ବେଶୀ କହିଦେଲେ, ନ ହେଲେ ଦରଟା ଟିକେ ଚଢ଼େଇ କରି କହିଦେଲେ ପଇସା ହୋଇଗଲା । ଚିନ୍ତା କ’ଣ । କିଏ କୋଉ ଜାଣୁଛି ।

 

ଭାଇଗା ମୁହଁରେ ସିଗାରେଟ୍ ଦେଖିଲେ ବିକୁର ଭାରି ଆଶା ହୁଏ । ଯୋଉଦିନ ସେ ପ୍ରଥମ କରି ଭାଇଗା ପାଟିଲାଳରେ ଓଦା ହୋଇଥିବା ଖଣ୍ଡିଆ ସିଗାରେଟ୍‍ଟାକୁ ତା’ ପାଟିରେ ପୂରେଇ ଓଠ ଦି’ଟାକୁ ଚାପିଧରିଲା, ବାଁ ହାତର ଦି’ଟା ଆଙ୍ଗୁଠି ଏଣେ ତା’ ଉପରେ ଜାବ ପଡ଼ିଯାଇଥାଏ, ଷ୍ଟାଇଲ୍ ତ ଅଛି, ଆଉ ଦମ୍‍କାଏ ଟାଣିନେଇ ଖେଁ ଖେଁ ହୋଇ କାଶି ଉଠିଲା; ସାଲା ସିଗାରେଟ୍‍ଟା ପୁଣି ତଳେ ପଡ଼ିଗଲା, ଭାଇଗା ତା’କୁ କେତେ ଗାଳି ଦେଲା, ସେଦିନ... । ନାକ ଓ ମୁଣ୍ଡ ଭିତର ତା’ର ଯେମିତି କ’ଣ ହୋଇଗଲା । ଆଖିରେ ଜୁଳୁଜୁଳିଆ ପୋକ ବି ଦେଖାଯାଇଥିଲା-

 

ସେ କଥା ମନେପଡ଼ିଲେ ଆଜି ତା’କୁ ଭାରି ହସ ଲାଗେ । ମନେମନେ ଭାରି ଗୋଟାଏ ଲାଜ ମାଡ଼ିବସେ । ଆଜି ସେ କେତେ ସିଗାରେଟ୍ ଖାଉଛି ଓ କେତେ ଖଇରାତି କରି ଦେଉଛି । କିନ୍ତୁ ସେ ପ୍ରଥମ ଦିନର ମାଦକତା ସେ କ’ଣ ଜୀବନରେ ଭୁଲି ପାରିବ । ସେଇଦିନଠୁଁ ଠିକ୍ କଲା ସେ ବି ସିଗାରେଟ୍ ପିଇବ– ଭାଇଗାଠୁ ମାଗିକିରି ନୁହେଁ । ସେ ବି ପଇସା ରଖିବ । ସେ କ’ଣ ପଇସା କାରବାର କରୁନି ।

 

ସିଗାରେଟ୍ କିଣାରେ ଏଣିକି ଭାଇଗା ସାଙ୍ଗରେ ତା’ର ପ୍ରତିଯୋଗିତା ଚାଲିଲା । ଆଜି ସ୍ପଷ୍ଟ ମନେପଡ଼େ, ସେ ଏଥିରେ ବହୁବାର ଜିତିଥିଲା ।

 

ଏମିତି ଏମିତି ପ୍ରାୟ ଛ’ମାସ ବିତିଗଲା । ସେତେବେଳକୁ ପଇସା ଧପେଇ ସିଗାରେଟ୍ କିଣିବା, ବିସ୍କୁଟ୍, ଲଜେନ୍‌ସ କିଣିବାରେ ସେ ପକ୍‍କା ବନିଯାଇଥାଏ । ମଝିରେ, ମଝିରେ ହୋଟେଲରେ ଭଲ ଜିନିଷ କିଣି ଖାଏ । ମାଉଁସ, ଚପାତି ତା’କୁ ଭାରି ଭଲ ଲାଗେ ।

 

ବାବୁଆଣୀ ଆଗରୁ ସନ୍ଦେହ କରୁଥିଲେ । ଜିନିଷପତ୍ର କମ୍ ହେଉଛି ବୋଲି ବରାବର ଖିଟ୍‍ଖିଟ୍ ହୁଅନ୍ତି । ବେଶୀ ଦର ହୋଇଗଲା ବୋଲି ବିରକ୍ତ ହୁଅନ୍ତି । ବିକୁ ଏଗୁଡ଼ାକ ଶୁଣି ଶୁଣେନା କି ଖାତିର୍ କରେନା । ବାବୁଆଣୀ କେତେଥର ଏଇ ବିଷୟ ନେଇ ବାବୁଙ୍କ ଆଗରେ ଗୁହାରି କଲେଣି । ବାବୁ କିନ୍ତୁ ଏଥିରେ ବିଶେଷ ଗୁରୁତ୍ୱ ଦିଅନ୍ତିନି । ବାବୁଙ୍କର ଏ ହାତ ସେ ହାତ ହୋଇ ଅମାପ ପଇସା ପ୍ରତିଦିନ ଆସେ । ତା’ର ହିସାବ ସେ କେବେ ରଖି ନାହାନ୍ତି । ଆଉ ଏଇ ଛୋଟ କଥାରେ ନଜର ଦେବାକୁ ତାଙ୍କୁ ବେଳ କାହିଁ । ଆଉ ମଧ୍ୟ ମାଇକିନିଆଙ୍କର ଚାକରବାକରଙ୍କ ଉପରେ ଖିଟିଖିଟି ହେବା, ତାଙ୍କ ନାମରେ ଆଡ଼ୁ ସାଡ଼ୁ କହିବା ସ୍ୱଭାବ ସମ୍ବନ୍ଧରେ ବାବୁ ଭଲଭାବରେ ଜାଣନ୍ତି ।

 

ଦିନେ ସଞ୍ଜବେଳେ ବାବୁ କିଲଟିରୀରୁ ଫେରୁଥାନ୍ତି । ସାଙ୍ଗରେ ଦି’ ଚାରିଜଣ ଗୋଡ଼େଇ ଥାଆନ୍ତି । ସେମାନେ ବାବୁଙ୍କୁ ବାଧ୍ୟକରି ଚା’ ଖାଇବାକୁ ଡାକିଲେ । ବାବୁ ଅମଙ୍ଗ ହେଉ ହେଉ ପଶିଗଲେ ଗୋଟିଏ ହୋଟେଲକୁ । ବାଲେଶ୍ଵରର ସବୁଠାରୁ ବଡ଼ ହୋଟେଲ । ପଶିଗଲାମାତ୍ରେ ତାଙ୍କର ଆଖି ପଡ଼ିଗଲା ବିକୁ ଉପରେ । ବିକୁର ଲକ୍ଷ୍ୟ ନାହିଁ । ସେ ମହାଖୁସିରେ ମାଂସ, ଲୁଚି ଓ ରସଗୋଲା ଖାଉଥାଏ । ବାବୁଙ୍କ ଦେହସାରା ଯେମିତି ବିଜୁଳିତାର ଗେଞ୍ଜି ହୋଇଗଲା । ସତରେ ତ । ସେ କ’ଣ ସ୍ତ୍ରୀଙ୍କ ଅଭିଯୋଗକୁ ସ୍ତ୍ରୀ ସୁଲଭ ଗୁଣ ବୋଲି ଭାବି ଏଡ଼େଇ ଦଉଥିଲେ । କିଛି ନ କହି ବାବୁ ପଛକୁ ଫେରି ପଡ଼ିଲେ । ଗୋଡ଼ାଣିଆମାନେ ଆଶ୍ଚର୍ଯ୍ୟ ହେଲେ । ପୁଣି ଅନୁରୋଧ କଲେ । ଆଉ ଗୋଟାଏ ଦୋକାନରେ ସ୍ପେଶାଲ ଚା’ ଓ ଦି’ ଗଣ୍ଡା ରସଗୋଲା ପକେଇ ଥଣ୍ଡା ହୋଇ ବାବୁ ଘରକୁ ଫେରିଲେ । ବିକୁ ସେତେବେଳକୁ ଫେରି ନ ଥାଏ । ଶ୍ରୀ ଦେହରୁ ଜାମାପଟ୍ଟା ଛାଡ଼ୁ ଛାଡ଼ୁ ଶ୍ରୀମତୀଙ୍କୁ ଦେଖିଥିବା ଘଟଣାଯାକ ସବୁ କହିଗଲେ । ଶ୍ରୀମତୀ ହାଁ କରି ଶୁଣିଲେ । ହୋସ୍ ହବା ପରେ ବଡ଼ ପାଟିରେ ଛିଗୁଲେଇ କହିଲେ, ‘‘ମୋ କଥା କାନରେ ପଶୁ ନ ଥିଲା ବାବୁଙ୍କର ଏଯାଏଁ । କେବେଠୁଁ କହୁଛି । ଆଖିରେ ଦେଖିଲାଠୁଁ ଯାଇଁ...। ଲୋକର ଚଳପ୍ରଚଳ ଦେଖି ବୁଝି ନ ପାରିବ ତ ଘର ଚଳେଇବ କେମିତି ।’’

 

ପ୍ରାୟ ଅଧଘଣ୍ଟାଏ ପରେ ବିକୁ ଫେରିଲା । ବାବୁଙ୍କର ଗୋଇଠା, ଚାପୁଡ଼ା ଓ ବାବୁଆଣୀଙ୍କର ଛାଞ୍ଚୁଣି ଦ୍ୱାରା ସେ ଯୋଉ ପେଟେ ମାଉଁସ, ଲୁଚି, ରସଗୋଲା ଖାଇଥିଲା ସବୁ ଦଶମିନିଟ୍ ଭିତରେ ହଜମ ହୋଇଗଲା । ଦେହ, ଛାତି, ପିଠି, ଗାଲ, ମୁହଁରେ କେତେ ଯେ ଚର୍ବି ଲାଗିଗଲା । ବେଶ୍ ମୋଟାସୋଟା ପିଲାଟା ଭଳି ଦେଖାଗଲା ।

 

ସେଇ ରାତିରେ ବିକୁ ସେଥୁ ବିଦାୟ ନେଲା ।

 

ତା’ର ଏତେ ଲୋଭନୀୟ ଗାଁ, ଏତେ ଆକାଙ୍‍କ୍ଷିତ ମା’ ପାଖକୁ ଗଲାନି ସେ ।

 

ଏଗାର ବରଷର ଟୋକାଟା । କେମିତି ଭୟ ଭୟ ଲାଗୁଥାଏ ତା’କୁ । କିନ୍ତୁ ମନ ଦଉଡ଼ିଲେ ଅନ୍ୟ ସବୁକିଛି ପଛରେ ପଡ଼ିଥାଏ । ମନର ଦଉଡ଼ା ସହିତ ତାଳ ରଖି ଦେହ ଓ ଦେହର ପ୍ରତ୍ୟେକ ଅବୟବ ମଧ୍ୟ ଦଉଡ଼ନ୍ତି । ବିକୁ ସେ ରାତିରେ ଦଉଡ଼ିଲା, ଆତଙ୍କିତ ପଳାୟନପନ୍ଥୀର ଏ ଦଉଡ଼ା । ଏକ ବିରାଟ ନିପୀଡ଼ନ ପାଖରୁ ଏକ ଅବାଞ୍ଚିତ ପରିବେଶ ମଧ୍ୟରୁ ତା’ର ଏ ଦୌଡ଼ର ଦିଗ ତା’କୁ ଜଣା ନ ଥିଲା । ଲକ୍ଷ୍ୟସ୍ଥଳ ତା’ର ଅଜଣା ଥିଲା, କିନ୍ତୁ ଲକ୍ଷ୍ୟ ଥିଲା ପଳାୟନ ।

 

ବାବୁ ଦେଇଥିବା ପ୍ୟାଣ୍ଟ ଭିତରୁ ଖଣ୍ଡିଏ ପିନ୍ଧିଥିଲା । ଜାମାଟା ପିନ୍ଧିଲା । ଆର ପ୍ୟାଣ୍ଟଟିକୁ ଗାମୁଛାରେ ଗୁଡ଼େଇଧରି ସେ ଦଉଡ଼ିଲା । ଦଉଡ଼ିଲା ଏକମୁହାଁ ହୋଇ ବାଲେଶ୍ଵର ରେଲଷ୍ଟେସନକୁ । ସେ ଜାଣିଥିଲା ସେଠିକି ରେଲଗାଡ଼ି ଆସେ । କେତେ ଲୋକ ସେଥିରେ ବସି କୁଆଡ଼କୁ ସବୁ ଯାଆନ୍ତି । ଭାଇଗା ଓ ଅନ୍ୟମାନଙ୍କ ସାଙ୍ଗରେ ଆଗରୁ କେତେଥର ସେଠିକି ସେ ଯାଇଥିଲା, ରେଲଗାଡ଼ି ବି ଦେଖିଥିଲା ।

 

ଦଉଡି ଦଉଡ଼ି ସିଧା ପ୍ଲାଟଫର୍ମ ଭିତରକୁ ପଶିଗଲା । ସେତେବେଳକୁ ସେଠି ସେମିତି କେହି ଲୋକ ନ ଥିଲେ । ରାତି କେତେ ହେଲାଣି କେଜାଣି, ସେ ଜାଣିନଥିଲା । ଗୋଟାଏ ପକ୍‍କା ବେଞ୍ଚ ଉପରେ ବସିପଡ଼ି ନିଃଶ୍ୱାସ ଛାଡ଼ିଲା ଭାରି ଜୋରରେ । ଛାତିକୁ ସୁଡ଼ଙ୍ଗ ଭଳି ଲମ୍ବେଇ ଦେଇ, ବେଦନାରେ ଆତୁର କରି ଦି’ ଚାରିଟା ଲମ୍ବା ଓଜନିଆ ନିଃଶ୍ୱାସ ବାହାରିଗଲା ପରେ ଯାଇ ଦମ୍‍ଘର ଧାଇଲା । ଏଥର ତାକୁ ଟିକିଏ ଆଶ୍ୱସ୍ତି ଲାଗିଲା । ଧରାବନ୍ଧା ଗତିରେ ନିଃଶ୍ୱାସ ବହିଲା । ତା’ର କିଛି ମନେପଡ଼ୁ ନ ଥାଏ । ଖାଲି ହାଇତୋଳି ନିଦ ଆସିଲା । ପିଲାଟା ନା । ଛାନିଆରେ ସେ ନିଦଯାଏ । ଭଗବାନଙ୍କର ପିଲାଙ୍କପାଇଁ ଏଟା ଭାରି ଦୟା । ବିକୁ ଶୋଇଗଲା ।

 

କେତେ ସମୟ ଏହା ଭିତରେ କୁଆଡ଼େ ଉଭେଇଗଲା । ଗୋଟାଏ ସିଂ ସିଂ ଧସ୍‍ଧସ୍ ଶବ୍ଦ ଓ କର୍କଶ ସୁସୁରିରେ ତା’ ନିଦ ଭାଙ୍ଗିଗଲା । ଆଖି ଖୋଲିଲା, ଗୋଟାଏ ରେଲଗାଡ଼ି । ରେଲଗାଡ଼ିଟା ମାଡ଼ିଆସୁଛି । ତା’କୁ ପୁଣି କେମିତି ଡର ମାଡ଼ିଲା । କ’ଣ କରିବ ନ କରିବ ସେ ଭାବନା ତା’ ମୁଣ୍ଡରେ କେବେ ସେ ସମୟରେ ଢୁକିନି । ଖାଲି ଡର ଆଉ ଡର !

 

ରେଲଗାଡ଼ି ଆସି ତା’ର ସାମନାରେ ଅଟକିଲା । କେତେ ବଡ଼ ଲମ୍ବା ଗାଡ଼ିଟା; ତା’ ଭିତରେ କେତେ ଲୋକ । କେତେଜଣ ତଳକୁ ଓହ୍ଲେଇଲେ । ଆଉ କେତେ ତା’ ଭିତରକୁ ପଶିଲେ-। ଏସବୁ ଦେଖି ତା’ ଦେହ ଉଲ୍ଲସି ଉଠିଲା । ମନରେ ଲାଗିଲା ପର । ଅଜଣାର ଡର ଛାଡ଼ିଗଲା-। ପଛର ଭୂତ ବରଂ ପ୍ରବଳ ହେଲା । ବାବୁଘର ତା’କୁ ଦେଖିଲେ କ’ଣ ନ କରିବେ-। ସେ ତା’ର ଖଣ୍ଡିଏ ପ୍ୟାଣ୍ଟ ଗୋଟିଏ ଗାମୁଛାରେ ଗୁଡ଼ା ପୁଟୁଳିଟିକୁ ଜୋରରେ ଜାବୁଡ଼ିଧରି ତା’ର ଠିକ୍ ସାମନାରେ ଥିବା ବଗି ଉପରକୁ ଚଢ଼ିଗଲା । ଭିତରକୁ ଯାଇ ଗୋଟାଏ ଜାଗାରେ ବସିପଡ଼ିଲା-। ଛାତିଟା ଭାରି ଜୋରରେ ପଡ଼ୁଥାଏ ଉଠୁଥାଏ । କ’ଣ ଓହ୍ଲେଇ ପଡ଼ିବ । ଏତିକିବେଳେ ରେଲଗାଡ଼ିଟା ତା’କୁ ଟିକିଏ ଝୁଙ୍କେଇ ଦେଲା, କାନଫଟା ସୁସୁରି ଗୋଟାଏ ମାରିଲା-। ଆଗକୁ ପାଦେ ଦି’ପାଦ ଘୁଞ୍ଚିଗଲା । ସେ ଆଉ ଭାବି ପାରିଲାନି । ରେଲଗାଡ଼ିଟା ଧସ୍‍ଧସ୍ ଶବ୍ଦ କରି ଆଗକୁ ଆଗକୁ ମାଡ଼ି ଚାଲିଲା । ତା’କୁ ଭାରି ମଜା ଲାଗିଲା ।

 

ସେ ଏଥରକ ଡବା ଭିତରେ ବସିଥିବା ଲୋକଙ୍କ ଆଡ଼କୁ ଚାହିଁଲା । କେତେ ପୁରୁଷ, କେତେ ସ୍ତ୍ରୀ, କେତେ ପୁଅ ଓ ଝିଅ ସେଥିରେ ଖୁନ୍ଦି ହୋଇଥିଲେ । ସମସ୍ତଙ୍କ ଆଖିରେ ଆଖିଏ ଲେଖାଏ ନିଦ । କେତେ ପିଲା ତ ରୀତିମତ ଶୋଇ ଯାଇଥିଲେ । କାହାରି ମୁହଁରେ ଚଞ୍ଚଳତା ନ ଥିଲା । କାହାରି ପାଟିରେ କିଛି ଭାଷା ନ ଥିଲା । ଡବାର ଅବସ୍ଥା ଭାରି ତନ୍ଦ୍ରାଳୁ ଥିଲା– କିପରି ମାଡ଼ି ମାଡ଼ି ପଡ଼ୁଥିଲା । ତା’କୁ ଭାରି ଅବଶ ଲାଗିଲା । ଆଖିପତା ନଇଁ ନଇଁ ପଡ଼ିଲା । ତା’କୁ ନିଦ ହୋଇଗଲା । ସେ ସ୍ଵପ୍ନ ଦେଖିଲା... ।

 

ଉଡ଼ିଯାଉଛି । ହଲି ହଲି, ଦୋହଲି ଦୋହଲି ନିଥର ବାୟୂମଣ୍ଡଳ ଭିତରକୁ ପଶିଯାଉଛି । ସେଠି କେତେ କଥା, କେତେ ଜିନିଷ, କେତେ ଲୋକବାକ । କାହାରିକୁ ସେ ଚିହ୍ନିପାରୁନି, ଜାଣିପାରୁନି, । ସମସ୍ତଙ୍କୁ ବଲ ବଲ ହୋଇ ଚାହୁଁଛି । ସମସ୍ତେ ତା’କୁ ଚାହୁଁଛନ୍ତି । ଭାରି ଡରମାଡ଼ିଲା ତା’କୁ । ଆହୁରି ଆଗକୁ ଚାଲିଗଲା ସେ । ସେଠି ଅନେକ ଦୋକାନ ବଜାର, କେତେ ରକମର ଖାଇବା ଜିନିଷ, କେତେ ରକମର କେତେ କ’ଣ ସୁନ୍ଦର ଜିନିଷ । ଆଉ, ଇସ୍ । କେତେ ଲୋକ, ପୁଅଝିଅ, ବଡ଼ସାନ କେତେ କ’ଣ କିଣୁଛନ୍ତି । ମଉଜ କରୁଛନ୍ତି । ଖେଳି ବୁଲୁଛନ୍ତି । ଓଃ ଭାରି ମଜା-। ସେ କିନ୍ତୁ ବାଦ୍ ପଡ଼ିଯାଉଛି । ସେଥିରେ ସେ ଟିକିଏ କ୍ଷୁଣ୍ଣ ହେଲା । କିନ୍ତୁ ବେଶୀ ସମୟ ନୁହେଁ । ତା’ପରେ..ତା’ପରେ ସେ ତା’ର ସମସ୍ତ ଶାରୀରିକ ଓ ମାନସିକ ଶକ୍ତି ଦେଇ ସେମାନଙ୍କ ସହିତ ଯୋଗ ଦେଲା । ବିପଣୀମାନଙ୍କରେ ପଶି ମନଇଚ୍ଛା ଖାଇଲା, ମନଇଚ୍ଛା ଜିନିଷ ଆଣିଲା । ନିଜେ ସୁନ୍ଦର ହୋଇ ସାଜିଲା । ପୁଅଝିଅଙ୍କୁ ମୁଗ୍‌ଧ କଲା । ତା’ପାଖକୁ ଟାଣି ଆଣିଲା । ସେମାନେ ତା’ ପ୍ରତି ଆକୃଷ୍ଟ ହେଲେ । ଭାରି ମଜା । କେତେ ମଜା । କେତେ ଆନନ୍ଦ । କେତେ ସୁନ୍ଦର ସୁନ୍ଦର ଝିଅ ତା’ ସହିତ ଖେଳି ବୁଲିଲେ କେତେ ରକମର ଖେଳ । ତୃପ୍ତି ଓ ଆନନ୍ଦରେ ମସଗୁଲ୍ ହୋଇ ଚିତ୍କାର ଆରମ୍ଭ କରି ଦେଲା ସେ ।

 

ଇସ୍, କି ବିକଟ ଚିତ୍କାର । ରେଲଗାଡ଼ିର କି ତୀବ୍ର ସୁସୁରି । ନିନ୍ଦ ଭାଙ୍ଗିଗଲା ତା’ର । କିନ୍ତୁ, ବିଳାସ ଭାଙ୍ଗିଲାଣି । ସେ ଆଖି ମେଲିଲା । ସେଇଠି ଖୁନ୍ଦାଖୁନ୍ଦି ହୋଇ ଅପରଛନିଆ ବଗିଟା ଭିତରେ ପଡ଼ିଥିବାର ଦୃଶ୍ୟ ତା’କୁ ଭଲ ଲାଗିଲା ନାହିଁ । ସେ ପୁଣି ଆଖି ବୁଜି ଦେଲା । ଏତିକିବେଳକୁ ରେଲଗାଡ଼ିଟା ତା’କୁ ଗୋଟାଏ ଧକ୍‍କା ମାରିଲା । ଏଥରକ ନିଦ ପୂରା ଭାଙ୍ଗିଗଲା । ଆଖି ମେଲେଇ ବାହାରକୁ ଚାହିଁଲା । ଗାଡ଼ିଟା ଅଟକିଛି । ରାତି ପାହିଯାଇଛି । ବାହାରେ ବହୁତ ଲୋକ ଏପାଖ ସେପାଖ ହଉଛନ୍ତି । କିଛି କୁଆଡ଼ୁ ଭାବି ନ ପାରି ପୁଡ଼ିଆଟିକୁ ହାତରେ ଜାବୁଡ଼ିଧରି ଓହ୍ଲାଇ ପଡ଼ିଲା । ଲୋକଙ୍କ ଭିତରେ ପଶିଗଲା । ଦି’ପାଦ ଆଗେଇଗଲା । ଅଟକିଯାଇ ପଛକୁ ଫେରି ଚାହିଁଲା । ସେଇ ମସ୍ତବଡ଼ ରେଲଗାଡ଼ିଟା, ପୁଣି ଗୋଟାଏ ସୁସୁରି ମାରି ଗଡ଼ିବାକୁ ଆରମ୍ଭ କରିଦେଲା । ତା’କୁ ସବୁ ଅଦ୍ଭୁତ ଲାଗିଲା, ୟାରି ଭିତରେ ସେ କାଲି ରାତିରେ ପଶିଥିଲା, ଏବେ ଏଠି ଆସି ପହଞ୍ଚିଛି ।

 

ମୁହଁ ଫେରେଇ ଦେଖିଲା ସେ ଜାଗାଟାକୁ । ଚାରିଆଡ଼କୁ ଚାହିଁଲା । ତା’କୁ କେମିତି ଲାଗିଲା କେଜାଣି ସେ କିଛି ବୁଝିପାରିଲା ନାହିଁ । ସେଇଠି ନଥ୍‍କିନା ବସିପଡ଼ିଲା କେତେବେଳଯାଏ-। ମୁଣ୍ଡ ତା’ର ଚକର ଖାଇଗଲା ।

 

ସୂର୍ଯ୍ୟ ସେତେବେଳକୁ ଆକାଶରେ କେତେଗୁଡ଼ା ବାଟ ଉଠିଗଲେଣି । ଭାରି ଭୋକ ମଧ୍ୟ ହେଲାଣି ତା’କୁ । ପ୍ଲାଟ୍‍ଫର୍ମରେ ମୋଟେ ଗୋଟା ଅଧେ ଲୋକ ଥାଆନ୍ତି । ଉଠି ଠିଆହେଲା ସେ । ଭୟ ଭୟ ଲାଗିଲା ତା’କୁ । ଅଜଣା ଅଶୁଣା ପରିସ୍ଥିତିର ଭୟ । କ’ଣ କରିବ ! କୋଉଠିକି ଯିବ । ଏ ଭୟର ସୀମା ଅତି ବ୍ୟାପକ । କିନ୍ତୁ ମଣିଷ ଥରେ ଗୋଟାଏ ନିଷ୍ପତ୍ତିରେ ପହଞ୍ଚିଗଲେ ଏ ଭୟ ଉଭେଇଯାଏ । ବିକୁ ଭାବି ହବାଭଳି ପିଲା ନୁହେଁ । ସେ ବେଶିକ୍ଷଣ ଭାବି ପାରେନା । ଯାହା ଯେମିତି ହଉ କାମରେ ହାତ ଦେଇଦିଏ । ସେ ତା’ର ପୁଡ଼ିଆଟିକୁ ଧୀରେ ତଳୁ ଉଠେଇଲା । କାଖରେ ଜାକି ଧରିଲା । ଏକମୁହାଁ ଖୁବ୍ ଜୋରରେ ପ୍ଲାଟଫର୍ମର ଫାଟକ ପାର ହୋଇଗଲା ।

 

ବାହାରକୁ ଆସି ଗୋଟାଏ ଲମ୍ବା ନିଃଶ୍ୱାସମାରି ଚଉଦିଗକୁ ଚାହିଁଲା । ବାଲେଶ୍ଵର ଷ୍ଟେସନ ଫାଟକ ପାଖରେ ଯେମିତି ଏଠି ବି ଠିକ୍ ସେମିତି । ରିକ୍‍ସା, ଗୋରୁଗାଡ଼ି, ମଟର ଆଉ କେତେଟା ଦୋକାନ, ଏଠି କିନ୍ତୁ ତା’କୁ ଭାରି ଆସ୍ୱାଭାବିକ ଲାଗିଲା । ତା’ ଭିତରଟା ଯେମିତି ଛାଟିପିଟି ହେଲା । ଲମ୍ବା ଲମ୍ବା ପାଦ ପକେଇ ସେ ଆଗକୁ ଚାଲିଲା । ଖଣ୍ଡେ ଦୂର ଗଲାପରେ ତା’ର ହୋସ୍ ହେଲା, ସେ ଖାଇବ । ପାଖରେ ପଇସାଟିଏ ବି ନାହିଁ । କୋଉଠି ହେଲେ କିଛି କାମ ମିଳିଯାନ୍ତା । ତା’ର ଦି’ କଡ଼ରେ ଅନେକ ଦୋକାନ ଥିଲା । ସେ କେତେଟା ଦୋକାନରେ ଚାକର ହୋଇ ରହିବାକୁ ପଚାରିଲା । ଶେଷରେ ଗୋଟାଏ ଜଳଖିଆ ଦୋକାନୀ ତା’କୁ ରଖିନେଲା । ସାଙ୍ଗେ ସାଙ୍ଗେ ଗଦାଏ ଅଇଣ୍ଠା ବାସନା ଧୋଇବା କାମରେ ଲଗେଇ ଦେଲା । ଘଣ୍ଟା ଖଣ୍ଡେ ପରେ ମାଲିକ ତା’କୁ କିଛି ବରା, ପିଆଜି, ହାଲୁଆ ଦେଲା । କେତେ ଭଲ ଲାଗିଲା ତା’କୁ । ତା’ର ମନେହେଲା, ତା’ର ସୁଖର ଦିନ ଆସିଗଲା । ସେ ଏମିତି ଗୋଟାଏ ଜଳଖିଆ ଦୋକାନ ଓ ହୋଟେଲରେ ଚାକିରି କରିବ ବୋଲି କେବେଠୁ କେତେ କଳ୍ପନା କରି ନ ଥିଲାଟି ! ପୁଣି ଏମିତି କରି ସେ ସୁଯୋଗ ତା’କୁ ମିଳିଗଲା ! ସେ କ’ଣ ଏତେ କଥା ଜାଣିଥିଲା ! ସେ କ’ଣ ଏତେ କଥା ଭାବିଥିଲା !

 

ଷ୍ଟେସନ ବଜାରର ହୋଟେଲ ଓ ଜଳଖିଆ ଦୋକାନ । ଭୋର ଚାରିଟାଠୁଁ ରାତି ବାରଟା ପର୍ଯ୍ୟନ୍ତ ଖୋଲା ରହେ । ସବୁବେଳେ ବେଶ୍ ଭିଡ଼ । ଆଉ ଗଦା ଗଦା ଅଇଣ୍ଠା ବାସନ । ତା’ରି ଚାରିପାଖରେ ଅଇଣ୍ଠା ବାସନ ଜମା ହୁଏ । ସେ ମାଜି ଦିଏ । ଧୋଇ ଦିଏ । ସବୁ ଭିତରକୁ ଚାଲିଯାଏ । ପୁଣି ଗଦାଏ ଆସି ଜମା ହୁଏ । ଟିକେ ବୋଲି ଫୁରସତ୍ ମିଳେନା । ଟିକେ ଭାବିବାକୁ ବି ସମୟ ମିଳେନା । ବେଳେବେଳେ ଅଇଣ୍ଠା ବାସନ ଗଦାକୁ ସେମିତି ପକେଇ ଦେଇ ତା’ରି ଉପରେ ହାତ ରଖି ତା’ ମା’ ଓ ଗାଁ କଥା ମନେପକାଏ । ସେ କଥା ସବୁ କିନ୍ତୁ ତା’ ମନକୁ ସେତେ ବେଶୀ ଆସେନା । ତା’ର ମା’ ଓ ଗାଁ ତା’ପାଇଁ ଯେମିତି ସେମାନଙ୍କର ଆକର୍ଷଣ ଶକ୍ତି ହରେଇ ଦେଇଛନ୍ତି । ଏତିକିବେଳେ ତା’ ମନକୁ ଆଉ ଗୋଟାଏ ଚିନ୍ତା ଜୋରରେ ମାଡ଼ି ବସେ । କେତେଲୋକ ଏଠି ଖାଉଛନ୍ତି । କେତେରକମର ଲୋକ । କୁଆଡ଼ୁ କୁଆଡ଼ୁ ଆସିଛନ୍ତି ସେମାନେ । ଜାତିଗୋତ୍ର ସେମାନଙ୍କର କିଏ ଜାଣେ । ସମସ୍ତଙ୍କର ଅଇଣ୍ଠା ବାସନ ଏଇଠି ତା’ରି ଆଗରେ ଜମା ହୋଉଛି । ତା’ରି ହାତରେ ମାଜିମୁଜି ସେ ସବୁ ସଫା କରି ଦେଉଛି । ମନରେ ତା’ର କୋହ ଉଠେ-। ସେ କୋହକୁ କିନ୍ତୁ ପ୍ରକାଶ କରିବାକୁ ତର ମିଳେନା । ପରଷାଳୀର ହାଁକ ଶୁଣାଯାଏ । ମାଲିକର ଗର୍ଜ୍ଜନ ତା’ କାନରେ ବାଜେ । ବାସନ, ବାସନ ଚିତ୍କାର ଉଠେ । ସେ ଆଉ ମାଜେନା, ଖାଲି ପିଛୁଳେଇ ପକେଇ ଗଦେଇ ଦିଏ ।

 

ବେଳେ ବେଳେ ରାତିରେ ନଟା ଦଶଟା ବେଳକୁ ତା’କୁ ଭାରି ନିଦ ମାଡ଼େ । ଅଇଣ୍ଠା ବାସନ ଗଦା ପାଖରେ ବସିପଡ଼ି ସେ ଢୋଳେଇ ପଡ଼େ । ସପନ ଦେଖେ । ଗୋଟାଏ ମଖମଲ ଗଦି ଉପରେ ସେ ଆରାମରେ ଶୋଇ ଯାଇଛି । କେତେବେଳେ କେମିତି ଏତିକିବେଳେ ମାଲିକର ଗୋଇଠାଟା ଠିକ୍ ତା’ ମଝି ପିଠିରେ ବାଜେ । ସେ କେତେଥର ଏମିତି ବିଡ଼ିଲାଣି ଟିକିଏ ଘୁମେଇ ପଡ଼େ ତ ମାଲିକ କେମିତି କ’ଣ ଜାଣିପାରେ । ନିଦ ଭାଙ୍ଗିଯାଏ । ସପନ ଭାଙ୍ଗି ଚୁରମାର ହୋଇଯାଏ । ଆଉ ଟିକିଏ ପରେ ମାଲିକଟା ମାରିଥିଲେ କ’ଣ ହୋଇ ନ ଥାନ୍ତା ।

 

ଏସବୁ ସତ୍ତ୍ୱେ ବି ସେ ମନ୍ଦ ନ ଥିଲା । ଖାଇବାକୁ ଯଥେଷ୍ଟ ମିଳୁଥିଲା । ମାଲିକ ଯାହା ଦଉଥିଲା, ତା’ ସହିତ ଯାହାସବୁ ବଳି ପଡ଼େ, ଆଉ ତା’ ଉପରେ ଲୁଚା ଚୋରା କିଛି ବି ମିଳିଯାଏ । ଦିନସାରା ପେଟ ଭାରି ରହେ । ଆଗାମୀ ଭଲ ଜିନିଷ ମିଳିବାର ଆଶାରେ ମନଟା ବି ଭରପୂର ରହେ । ଖାଟିଣି ଅବଶ୍ୟ ଜୋର ପଡ଼େ । ସେଥିକି ବା ତା’ର କୋଉ ଖାତିର । ବାବୁ ଘରେ ଆଉ କୋଉ କମ୍ ଖାଟିଣି ପଡ଼ୁଥିଲା କି ! ନ ଖଟିଲେ ବା ଚଳିବ କେମିତି । ସେ କ’ଣ ଏତେ ଦୂର ଗଲାଣି ।

 

ଦୁଇମାସ ଖଣ୍ଡେ ପରେ ତା’ର ପଦୋନ୍ନତି ହେଲା । ସେ ତେଣିକି ବାସନ ମାଜିବା ପରିବର୍ତ୍ତେ ପରଷିବା କାମ କଲା । ଏ କାମଟା ତା’କୁ ଭାରି ମଜା ଲାଗିଲା । କେତେ ପ୍ରକାରର ଖାଦ୍ୟ ଜିନିଷ କେତେ ଲୋକଙ୍କୁ ଆଣି ଦବାକୁ ତା’କୁ କେତେ ଭଲ ଲାଗିଲା । ତାରି ହାତକୁ କେତେ ଲୋକ ଚାହିଁ ବସିଲେ । ତା’ରି ପାଖରେ ଓଜରଆପତ୍ତି କଲେ । ଏ ଜିନିଷ ଆଣେ, ସେ ଜିନିଷ ଆଣେ, ଆଉଟିକେ ଦେଇଯା । ତା’ ମନରେ ଏକ ପ୍ରଭୁପଣିଆ ଦେଖାଦେଲା । ଖାଲି ସେ ଜିନିଷ ସବୁ ଯଦି ତା’ର ନିଜର ହୋଇଥାନ୍ତା !

 

ଏବେ ବି ସେଇକଥା ମନେପଡ଼ିଲେ ତା’କୁ କେମିତି କେମିତି ଲାଗେ । ସେଦିନର ସେଇ ଭାବନା ଆଉ ତା’ର ତା’ପରର କାର୍ଯ୍ୟକଳାପ କେତେ ଭିନ୍ନ ସତେ । କାହାରିକୁ ତା’ର କିଛି ଦବା ପରିବର୍ତ୍ତେ ଅନ୍ୟମାନଙ୍କର ସମସ୍ତ କିଛି ଲୁଟି ଖାଇବାକୁ ସେ କେତେ ବ୍ୟଗ୍ର ! ହଃ, ସେଥିରେ କ’ଣ ଅଛି ।

 

ଏମିତି କେତେ ଦିନ ଗଲା । ଏହା ଭିତରେ ସେ ବହୁତ ଲୋକଙ୍କ ସହିତ ପରିଚିତ ହୋଇଗଲା । କାହିଁକି ନା, ହୋଟେଲକୁ ପଶିଲାମାତ୍ରେ ସମସ୍ତେ ତ ପରିବେଷଣକାରୀକୁ ହିଁ ଡାକନ୍ତି-। ଆଉ ସେ ପିଲାଟାଏ ହୋଇଥିବାରୁ ସମସ୍ତଙ୍କର ତା’ ଉପରେ ବେଶୀ ନଜର ପଡ଼େ-। ଯେଉଁମାନେ ସେଠିକି କେତେଥର ଆସିଥାନ୍ତି, ସେମାନେ ତ ବସୁ ନ ବସୁଣୁ ‘ବିକୁ’ ବୋଲି ଡାକ ଛାଡ଼ନ୍ତି ।

 

ଦୁଇ ତିନି ମାସ ପରେ ଏଗୁଡ଼ା ତା’କୁ ଆଉ ଭଲ ଲାଗିଲା ନାହିଁ । ତା’ ମନରେ ଏଣିକି ଅନ୍ୟ ଭାବନା ଉଙ୍କି ମାରିଲା । ସେଠିକି ତା’ ବୟସର, ତା’ଠାରୁ ବଡ଼ ଏମିତି କେତେ ପିଲା ଆସନ୍ତି-। ଆଉ ମଧ୍ୟ ରାସ୍ତାଘାଟରେ ସେ କେତେ ପିଲାଙ୍କୁ ଦେଖେ । କେଡ଼େ ସୁନ୍ଦର ପୋଷାକ ସେମାନେ ପିନ୍ଧିଥାନ୍ତି । ସେମାନଙ୍କର ଚାଲିଚଳନ, ଢଙ୍ଗଢାଙ୍ଗ ଓ ସ୍ଫୁର୍ତ୍ତି ଦେଖି ତା’ ମନରେ ଈର୍ଷା ହେଲା-। ତା’ର ମଇଳା ପ୍ୟାଣ୍ଟ ଓ ଗେଞ୍ଜି ପିନ୍ଧା ଦେହ ଆଉ ପରଷାଳୀ ଚାକିରି ପାଇଁ ତା’କୁ ଭାରି ଲାଜ ଲାଗିଲା-। ଏହା ଭିତରେ ତା’ର ସ୍ୱାସ୍ଥ୍ୟ ଖୁବ୍ ଭଲ ହୋଇ ଯାଇଥିଲା । ଯେମିତି ପାରେ ହେଉ ଖାଇବାକୁ ତ ଯଥେଷ୍ଟ ମିଳୁଥିଲା । ତା’ର ଗୋଲଗାଲ ଚିକ୍‍କଣ ଚେହେରା ଦେଖି ତା’କୁ ଯେତିକି ତୃପ୍ତି ଲାଗୁଥିଲା, ତା’ର ଅବସ୍ଥା ପାଇଁ ତା’କୁ ଅପେକ୍ଷାକୃତ ବେଶୀ ଘୃଣା ଲାଗୁଥିଲା ।

 

କେତେ ଲୋକଙ୍କୁ ସେ କେତେ ରକମର ଖାଇବା ଜିନିଷ ପରଷେ, ତେଣୁ ପ୍ରତ୍ୟେକର ତା’ ପ୍ରତି ଏକ ସ୍ପୃହା ଜାଗ୍ରତ ହେବା ସ୍ୱାଭାବିକ । ଖାଦ୍ୟ ପ୍ରତି ରହିଥିବା ମମତାର କିୟଦଂଶ ପରିବେଷଣକାରୀ ଆଡ଼କୁ ଝୁଙ୍କି ଯାଇଥାଏ । ସମସ୍ତେ କିନ୍ତୁ ସମାନ ନୁହଁନ୍ତି । ଏମିତି କେତେକ ଆସନ୍ତି ଯେଉଁମାନେ କି ବିକୁ ବୋଲି ଗୋଟାଏ ମଣିଷ ପ୍ରତି କିଛିଟା ଆଗ୍ରହ ଦେଖାନ୍ତି । କେତେକ ତା’ର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି ନଜର ଦିଅନ୍ତି । କେତେକ ତା’ର ମଧୁର ବ୍ୟବହାରରେ ସନ୍ତୋଷ ପ୍ରକାଶ କରନ୍ତି । କେତେକ ତା’ର ଘରଦ୍ୱାର, ତା’ର ବାପ ମା, ତା’ର ଅନ୍ୟାନ୍ୟ ଅବସ୍ଥା ବିଷୟରେ ବି ବୁଝନ୍ତି-। ବିକୁ ଏ କଥା ସବୁ ବୁଝେ । କେତେବେଳେ ଏମାନଙ୍କ ପାଇଁ ତା’ ମନରେ ମଧ୍ୟ ସ୍ପୃହା ଆସେ-। କେତେବେଳେ ବା କିଛି ଆସେନା ।

 

ଊଣେଇଶ କୋଡ଼ିଏ ବରଷର ଦୁଇଜଣ ଯୁବକ କିଛିଦିନ ଅନ୍ତର ଅନ୍ତରରେ ସେଇ ହୋଟେଲକୁ ବରାବର ଆସନ୍ତି । ତାଙ୍କର ପୋଷାକପତ୍ର, ଢଙ୍ଗଢାଙ୍ଗ ଓ ସ୍ଫୁର୍ତ୍ତି ଦେଖି ବିକୁ ମନରେ ଏକ ଅଜଣା ଆକାଙ୍‍କ୍ଷା ଜାତ ହୁଏ । ସେ ସେମାନଙ୍କର ପରିଚର୍ଯ୍ୟା ଖୁବ୍ ଭଲଭାବରେ କରେ । ସେମାନେ ତ ବହୁତ ଜିନିଷ ମଗାନ୍ତି । ପଇସାକୁ ଖାତିର ନାହିଁ । ବିକୁକୁ ମୋଟା ବକସିସ୍ ବି ଦିଅନ୍ତି-। କିଛିଦିନ ପରେ ବିକୁ ଅନୁଭବ କଲା ଯେ, ସେମାନଙ୍କର ତା’ପ୍ରତି ଆକର୍ଷଣ ଆସିଯାଇଛି-। ବିକୁ ମଧ୍ୟ ସେମାନଙ୍କ ପ୍ରତି ପ୍ରବଳ ଆକର୍ଷଣ ଅନୁଭବ କଲା ।

 

ଦିନେ ଦି’ ପହରରେ ସେମାନେ ଆସିଥିଲେ । ସେତେବେଳେ କାହିଁକି ଗରାଖ ବେଶୀ ନ ଥିଲେ । ମାଲିକ ବି ଟିକେ ଢୋଳେଇ ପଡ଼ିଥିଲା । ସେମାନଙ୍କର ବରାଦ ମୁତାବକ ବିକୁ ଖାଇବାକୁ ଦେଲା । କାମ ତ ନ ଥିଲା, ସେମାନଙ୍କ ପାଖରେ ଠିଆ ହେଲା । ଆଜି ସେ ସେମାନଙ୍କର ଆଉ ଟିକେ ନିକଟତର ହେବ । ଦେଖାଚାହାଁ, ୟାକୁ ଦେ, ତା’କୁ ଦେ, ଆଉ ସେମାନଙ୍କର ଛଇଛାଣ୍ଟ ପ୍ରତି ବିକୁର ଅକୁହା ଲୋଭ ଭିତରେ ଯାହା କିଛି ଆକର୍ଷଣ ଥିଲା, ତା’ଛଡ଼ା ସେମାନଙ୍କ ସହିତ ତା’ର ଆଉ କିଛି ସମ୍ବନ୍ଧ ହୋଇ ନଥିଲା ସେପର୍ଯ୍ୟନ୍ତ । ବିକୁ କ’ଣ ପଚାରିବ ବୋଲି ଭାବିଲା, ସାହସ ହେଲାନି । ଏହି ସମୟରେ ତାଙ୍କ ଭିତରୁ ଜଣେ ପଚାରିଲା ତା’ ଘର କଥା, ଚାକିରି କଥା । ବିକୁର ପାଟି ଖୋଲିଗଲା ସେଉଠୁ । ବିକୁ ସେମାନଙ୍କୁ କେତେ କଥା କହିଲା । ମାଲିକ ମୋଟେ ପଇସା ଦେଉନି । ଖାଲି ଖଟଉଛି । କି ଗଧ ଖାଟିଣି । ଯଦି ଗୋଟେ ଭଲ କାମ ମିଳନ୍ତା କୋଉଠି ? ସେମାନେ ତା’ପାଇଁ କରେଇ ଦିଅନ୍ତେନି । ବିକୁକୁ ଭରସା ଦେଇ ଚାଲିଗଲେ ସେମାନେ ସେଦିନ ।

 

ପ୍ରାୟ ପନ୍ଦର ଷୋଳ ଦିନ ପରେ । ମୁହଁ ଅନ୍ଧାରୀ ସଞ୍ଜବେଳେ ସେମାନେ ଆସିଲେ । ଠିକ୍ ଯେମିତି ବରାବର ଦୁଇଜଣଯାକ ଆସନ୍ତି । ବହୁତ ଜିନିଷ ମଗେଇଲେ, ବହୁତ ଖାଇଲେ । ଏଇ ବରାଦ କରିବା ଓ ବିକୁର ପରଷିବା ଭିତରେ ସେମାନେ ତା’କୁ ସେ ରାତିରେ ତାଙ୍କ ସାଙ୍ଗରେ ଚାଲିଯିବାକୁ କହିଲେ । ସଙ୍ଗେ ସଙ୍ଗେ ତ ସେ ଯାଇପାରିବନି । ତେଣୁ ଠିକ୍ ହେଲା, ବାରଟା ବେଳକୁ ଷ୍ଟେସନ ଟିକଟଘର ପାଖକୁ ବିକୁ ଯିବ । ସେମାନେ ତା’କୁ ସେଇଠି ଅପେକ୍ଷା କରିଥିବେ । ସେମାନେ ଚାଲିଗଲେ ।

 

ସେତେବେଳେ ଗରାଖଙ୍କର ପ୍ରବଳ ଭିଡ଼ । ଚାରିଆଡ଼େ ବିକୁ, ବିକୁ ଚିତ୍କାର । ଏଟା ସେଟା ବରାଦ ଭିତରେ ସେ ଯେମିତି ବୁଡ଼ି ଯାଉଥାଏ, ଆଗଭଳି କ୍ଷିପ୍ର ଗତିରେ ଯନ୍ତ୍ର ପରି ସେ କାମ କରି ଯାଉଥାଏ । କିନ୍ତୁ କାହାକୁ କ’ଣ ଦେଲା, କେତେ ଦେଲା ଓ କାହାର କେତେ ପଇସା ହେଲା–ସେ, କିଛି ତା’ର ମନଭିତରେ ଢୁକୁ ନ ଥାଏ । କେମିତି ବା ଢୁକିବ ?

 

ହୃଦୟରେ ତା’ର କି ଝଞ୍ଜା, ମନରେ ତା’ର କି ଆଲୋଡ଼ନ । ବେଳେବେଳେ ଦେହସାରା କମ୍ପି ଉଠୁଥାଏ । ସେ ଚମକି ପଡ଼ୁଥାଏ । ଆଖି ଆଗରେ କଳାଭଉଁରୀ ଖେଳି ବୁଲୁଥାଏ-। ପୁଣି ପ୍ରବଳ ଆଲୋକର ରାସଯାତ୍ରାରେ ସେ ଥରି ଯାଉଥାଏ । ଦେହସାରା ଅଗ୍ନିର ଝଲକରେ ତ୍ରସ୍ତ ହେଲାପରେ ହଠାତ୍ ନାହିଁ ନ ଥିବା ପ୍ରବଳ ହିମସ୍ପର୍ଶରେ କାତର ହୋଇ ପଡ଼ୁଥାଏ । ଏ କ’ଣ ! ....ରାତ୍ରି ବାରଟା.....ଷ୍ଟେସନର ଟିକେଟ ଘର, ସେମାନେ.....କିଏ ସେମାନେ....ସେମାନଙ୍କ ବିଷୟରେ ସେ କ’ଣ ବା ଜାଣେ.....ସେମାନଙ୍କର ଉଦ୍ଦେଶ୍ୟ ବା କ’ଣ ? ସେ କ’ଣ ଯିବ...ସେ କ’ଣ ଆଉ ଯିବନି ? ଅଜଣା ଅଶୁଣା ଏକ ଭୀଷଣକାୟ ଭୟରେ ସେ ମୁହ୍ୟମାନ ହୋଇ ଯାଉଥାଏ-। ପୁଣି ଅଜଣାର ମୋହ, ଅଶୁଣାର ଆକର୍ଷଣ ଓ ସେ ଦୁଇଜଣଙ୍କର ଚମକପ୍ରଦ ଢଙ୍ଗଢାଙ୍ଗର ଲୋଭରେ ସେ ଜାଗି ଉଠୁଥାଏ । ଯିବ...ନିଶ୍ଚୟ ଯିବ । ଆଉ କ’ଣ ଏମିତିକରି ସେ ତା’ର ଜୀବନଟା ବିତେଇ ଦେବ ! ଥରେ ତ ଏମିତି ଅଜଣା ଅଶୁଣା ଜାଗାକୁ ସେ ଆସିଥିଲା । ସେଥର ତ ତା’ର ମନ୍ଦ ଯାଇନି । ଯଦି ତା’ର ଭାଗ୍ୟରେ ଭଲ ଥାଏ, ଖୁବ୍ ଭଲଥାଏ, କିଏ ବା କହିବ ? ...ସେ ଯିବାକୁ ସ୍ଥିର କରିନେଲା ।

 

ସେତେବେଳକୁ ରାତି ମୋଟେ ଆଠଟା । ଗରାଖଙ୍କ ଭିଡ଼ ଖୁବ୍ ଲାଗିଥାଏ । ଏମିତି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚିବା ପରେ ତା’ର ହୃଦୟର ଝଞ୍ଜା, ଭୟ ସବୁ କୁଆଡ଼େ ଉଭେଇଗଲା । ସେ ଖୁବ୍ ପ୍ରସନ୍ନ ହୋଇଉଠିଲା ଏବଂ ଗରାଖମାନଙ୍କ ପ୍ରତି ତା’ର ଅଶେଷ ଉଦାରତା ପ୍ରକାଶ ପାଇଲା । ଯିଏ ଯାହା ମାଗିଲା–ତରକାରୀ, ଶିରା, ଚଟଣୀ ଇତ୍ୟାଦି ଦେବାରେ ସେ ବେପରୁଆ ହୋଇଗଲା ।

 

ସେଇ ରାତି । ଦଶଟା ବେଳକୁ ଭିଡ଼ କମିଲା । ମନରେ ତା’ର ପୁଣି ସେଇ ଝଞ୍ଜା ଦେଖାଦେଲା... । ସେ ଯିବ । ଅନିଶ୍ଚିତତାର ବକ୍ଷ ଭିତରକୁ ସେ ଲମ୍ଫ ଦେବ । ସେଠି କ’ଣ ଅଛି କେଜାଣି । ସାପ, ବେଙ୍ଗ ନା ମାଛ । ମାଟି ଗୋଡ଼ି କି ଟଙ୍କା ସୁନା । ମାଡ଼ ଗାଳି କି ଆଦର ଅଭ୍ୟର୍ଥନା କିଏ ଜାଣେ ! କିଏ କହିପାରିବ ! କିଏ ଯଦି କହିଦିଅନ୍ତା !

 

ତା’ପରେ–ତା’ପରେ ପୁଣି ତା’ ମନରେ ପୂର୍ବର ସେଇ ପ୍ରସନ୍ନତା ଖେଳିଗଲା । ଆଦର ଅଭ୍ୟର୍ଥନା, ଟଙ୍କା ସୁନା ତା’ପାଇଁ ନ ଥିବ ବା କାହିଁକି ? ଏଥରକ କିନ୍ତୁ ତା’ର ବିଶେଷ ବ୍ୟଗ୍ର ହେବାର କୌଣସି କାରଣ ନ ଥିଲା, କି ଚଞ୍ଚଳ ଯିବାର ବ୍ୟସ୍ତତା ନ ଥିଲା । ସେ ତେଣୁ ଭାବିବସିଲା-। କେମିତି ଯିବ । କ’ଣ ନବ । ଛ’ମାସ ହେଲାଣି ଏଠି ରହିଲାଣି ମାଲିକ ମୋଟେ ଦଶଟି ଟଙ୍କା ଦେଇଥିଲା, ଖଣ୍ଡେ ପ୍ୟାଣ୍ଟ ଓ ଖଣ୍ଡେ କମିଜ କରିବାକୁ । ଆଉ ଯେତେଥର ସେ ଟଙ୍କା ମାଗିଛି, ସବୁଥର ଆଜି ନାହିଁ ବୋଲି ଶୁଣିଛି । କାଲିକି ହୁଏତ ମିଳିଥାନ୍ତା । କିନ୍ତୁ ସେ କାଲି କେବେ ହେଲେ ଆଜି ହୋଇନି । ଆଜି କୋଉ ମାଗିଲେ ସେ ଦେବ, ସେ ଆଶା ଆଦୌ ନାହିଁ । ଦିଅନ୍ତା ଭଲା-। କିଛି ଟଙ୍କା ସାଙ୍ଗରେ ଧରି ସେ ଯାଆନ୍ତା । ଟଙ୍କା ପାଖରେ ଥିଲେ ଅଣ୍ଟାରେ ଜୋର ଆସେ-। ତା’ ତ ହେବ ନାହିଁ । ତଥାପି ସେ ଯିବ । ପ୍ରସ୍ତୁତ ହବାରେ ଲାଗିଗଲା । ପ୍ରସ୍ତୁତ ହବାପାଇଁ ବିଶେଷ କିଛି ନ ଥିଲା । ଆଗଥର ଅପେକ୍ଷା ଅଳ୍ପ ବେଶୀ ଜିନିଷ ଏଥରକ ଥିଲା ଅବଶ୍ୟ । ପିନ୍ଧିଲା ପ୍ୟାଣ୍ଟ ଜାମା ବ୍ୟତୀତ ଖଣ୍ଡେ ପ୍ୟାଣ୍ଟ, ଖଣ୍ଡେ ଜାମା ଓ ଖଣ୍ଡେ ଗାମୁଛା, ସାବୁନ ଖଣ୍ଡେ ଓ ନଡ଼ିଆତେଲ ଶିଶିଟା-। ୟାକୁ ସବୁ କେମିତି ନେଇ ମାଲିକର ଅଜାଣତରେ ଅନ୍ୟମାନଙ୍କୁ ନ ଜଣେଇ ଏଠୁ ସେ ପଳେଇଯିବ, ସେଇ କଥା ତା’ର ଚିନ୍ତା ।

 

ବେଶୀ ସମୟ କିନ୍ତୁ ଭାବି ପାରିଲାନି । ଭାବି ହେବାଟା ତା’ ପକ୍ଷରେ ବଡ଼ କଷ୍ଟ । ସେଥିରେ ଥଳକୂଳ କିଛି ମିଳେନା । ତା’କୁ ଏହା ଆଦୌ ପୋଷାଏ ନାହିଁ । ବେଳ ଉଣ୍ଡି ଗାମୁଛାରେ ଜିନିଷତକ ବାନ୍ଧି ପକେଇଲା । ଗୋଟାଏ ବଡ଼ ବେସନ ଠୁଙ୍ଗାରେ ତା’କୁ ପୂରେଇ ମୋଡ଼ିମାଡ଼ି କଣକୁ ପକେଇ ଦେଲା । ତା’ର ପ୍ରସ୍ତୁତି ସରିଗଲା । ଏଣିକି କାଁ ଭାଁ ଗୋଟାଏ ଗୋଟାଏ ଗରାଖ ଆସୁଥା’ନ୍ତି । କାମରେ ତା’ର ଆଉ ମନ ଟେକିଲା ନାହିଁ । ଗୋଟାଏ କଣରେ ଦି’ ଟା ଚୌକି ଯୋଡ଼ି ଗୋଡ଼ ଦି’ଟା ଲମ୍ବେଇ ଦେଇ ଟିକେ ହାଲିଆ ମାରିଲା । କେତେବେଳେ ତା’କୁ ନିଦ ଘାରିଗଲା । ଛାଇ ଛାଇଆ ଛନକା ନିଦ । ଆଗରେ କାମ, ଭଲ ନିଦ କ’ଣ ଆସିପାରେ । ଏଇ ନିଦରେ ବି ସପନ ଦେଖିଲା । ଆନନ୍ଦବଜାର ଲାଗିଛି । କେତେ କଥା, କେତେ ରଙ୍ଗ, କେତେ ଜିନିଷ, କେତେ ଖୁସି, କେତେ ମଉଜ, କେତେ ଝିଅ, କେତେ ପୁଅ, ବଡ଼ ସାନ ସବୁ । ଯେମିତି ପୃଥିବୀଟା ଯାକର ସମସ୍ତେ ସେଇଠି ଠୁଳ । ସବୁ ଆନନ୍ଦ ସେଇଠି ଏକତ୍ରିତ । ସେ କିନ୍ତୁ ତା’ ଭିତରକୁ ଯିବାକୁ ବାଟ ପାଉନି । ଏପାଖ ସେପାଖ କେତେ ଖୋଜିଲା, କେତେ ଅଣ୍ଡାଳିଲା, କିଛି ଫଳ ହେଲାନି । ମନରେ ତା’ର କେତେ ଦୁଃଖ । ସେ କାନ୍ଦି ପକେଇଲା । ତଳୁ ଗୋଟାଏ ଢିମା ଗୋଟେଇ ଧରିଲା । ଆନନ୍ଦବଜାରକୁ ଢେଲାମାରି ଚୁର୍‍ମାର କରିଦେବ । ନ ହେଲେ ତ ଅନ୍ତତଃ ଗୋଟାଏ ବାଟ ଫିଟେଇ ଦେଇ ସେ ପଶିଯାଇ ପାରିବ । ଠିକ୍ ଏଇ ସମୟରେ କେଡ଼େ ଆଲୁଅ ପକେଇ ଗୋଟାଏ ଟ୍ରେନ୍ ମାଡ଼ି ଆସିଲା । ତା’ ଉପରେ ଚଢ଼ିଯିବ ନା କ’ଣ ।

 

ତା’ ନିଦ ଚାଉଁକିନା ଭାଜିଗଲା । ସେ ଉଠି ଠିଆ ହେଲା । କଥାସବୁ ମନେପକେଇଲା-। ଦେଖିଲା ମାଲିକ ଟିକେ ଢୁଳେଇ ପଡ଼ିଛି । ଗହକି କେହି ନାହାନ୍ତି । ମାଧ ହେରିକା (ଦୋକାନର ଅନ୍ୟ ଚାକର) ସମସ୍ତେ ଥକିଯାଇ ବସି ପଡ଼ିଛନ୍ତି । କାହାରି କୌଣସି କଥାକୁ ଲକ୍ଷ୍ୟ ନାହିଁ । ତା’କୁ କେହି ଚାହୁଁ ନାହାଁନ୍ତି । ଝପଟିଗଲା । ଠୁଙ୍ଗାଗୁଡ଼ା ପୁଡ଼ିଆଟିକୁ ଝଟକିନା ଉଠେଇ ନେଲା । ଏପାଖ ସେପାଖ ଦି’ଥର ଡୋଳା ବୁଲେଇ ନେଲା । କେହି ତା’କୁ ଦେଖୁନି ତ । ଦୋକାନରୁ ବାହାରି ଆସିଲା । ରାସ୍ତାକୁ ଆସି ପଛକୁ ମୁହଁ ବୁଲେଇ ଦୋକାନକୁ ଚାହିଁଲା । କେଇ ସେକେଣ୍ଡ କ’ଣ କାହିଁକି ତା’ର ଗୋଡ଼ ଅଟକିଗଲା । ତା’ପରେ...ଗୋଡ଼ ଛାଡ଼ି ଆଗମୁହାଁ ଚାଲିଲା । ଏଇ ତା’ର ପାଳି । ଏଇ ତା’ର ସୁଯୋଗ । ଏହାକୁ ଛାଡ଼ି ଦେବନି ।

 

ଦୋକାନଠୁ ଷ୍ଟେସନଟା ଅଳପ ବାଟ । ତିନି ଫର୍ଲଙ୍ଗ ହେବ । ଦୋକାନରେ କାମ କଲା ଦିନଠୁଁ ସେ ଯେ କେତେବାର ଏଇ ଷ୍ଟେସନକୁ ବୁଲି ଆସିଚି ତା’ର ଗଣନା ସେ ରଖିନି । ବାଟଟା ତା’ର ଭାରି ପରିଚିତ । ଏଇ ବାଟେ ଦିନେ ସେ ଆସିଥିଲା । ସେତେବେଳେ ଏଇ ବାଟ ତା’ର ପୂରା ଅଜଣା ଥିଲା । ଏହାର ଦି’କଡ଼ରେ ସାନ-ବଡ଼ କେତେଟା ଦୋକାନ । ସବୁ ଦୋକାନରେ ଆଲୁଅ ଜଳୁଥିଲା । ସବୁ ଆଲୁଅର ଲମ୍ବା ଶରୀରଗୁଡ଼ା ରାସ୍ତା ଉପରକୁ ମାଡ଼ି ଆସିଥିଲା । ମଝିରେ ମଝିରେ ମଇଳା ବତୀଖୁଣ୍ଟଗୁଡ଼ାକରୁ ଆଲୁଅ ବି ମିଞ୍ଜି ମିଞ୍ଜି କରୁଥିଲା । ତେବେ ବି ରାସ୍ତାରେ ଠାଏ ଠାଏ ଅନ୍ଧାର ଜମା ହୋଇ ରହିଥିଲା, ସେମିତି କିଛି ଅନ୍ଧାର ନୁହେଁ ଅବଶ୍ୟ, ତା’ ପାଖରେ ଆଲୁଅ ଥିଲା କିନା । ସେଇ ସାମାନ୍ୟ ଅନ୍ଧାର ବି ସେଇ ରାତିରେ ତା’କୁ କେମିତି ଡରେଇଲା । ଭାରି ଡର ମାଡ଼ିଲା ତା’କୁ । ଏମିତି ଡର ପୁଣି ମଣିଷକୁ ମାଡ଼େ । ଆଗ ଅନ୍ଧାର ମେଞ୍ଚାଟାରୁ କିଏ ଯେମିତି ମାଡ଼ି ଆସୁଛି । ପଛ ଅନ୍ଧାର ପୂଳାକରୁ କିଏ ସତେ ଦଉଡ଼ି ଆସୁଛି । ଏଗୁଡ଼ାକ କି କଥା ବୋଲି ତା’ ମନକୁ ଛୁଇଁଲା । ସେଇ ତା’ର ଅତି ଜଣାଶୁଣା, ଅଳପ ବାଟ ବି ତା’କୁ ଭାରିଗୁଡ଼ାଏ ବାଟପରିକା ଜଣାଗଲା । ଏ ବାଟ କ’ଣ ଆଉ ସରିବନି । ଷ୍ଟେସନଟା କ’ଣ ଆଉ ଘୁଞ୍ଚିଗଲାଣି ୟା ଭିତରେ ।

 

ତଥାପି ସେ ଚାଲିଲା । ମନରେ ତା’ର ଏତେ ଆଶଙ୍କା ଭିତରେ ବି କେତେ ଆଶାଭରି ରହିଥିଲା । ଗହକିଙ୍କର ୟା’ ଦେ, ତା’ ଦେ ଆଉ ମାଗଣା ଗଧ ଖାଟିଣିରୁ ସେ ରକ୍ଷା ପାଇବ । ତା’ପରେ ତ ଆହୁରି କେତେ କଥା । କେତେ ରଙ୍ଗୀନ ସ୍ଵପ୍ନ । ନ ହବ ବା କାହିଁକି ? କୈଶୋର ଯେ ତା’ ଦେହରେ ବୀଜପତ୍ର କାଡ଼ିବାକୁ ଆରମ୍ଭ କରିଥାଏ ।

 

ଆଗେଇ ଗଲା । ରାସ୍ତା ଉପରୁ ଆଖିକାଢ଼ି ଦୂରକୁ ଚାହିଁଲା । ହେଇତ ଷ୍ଟେସନ ଆଲୁଅଗୁଡ଼ା ମିଟିକାମାରି ଚାହିଁଛନ୍ତି । ଆଉ ବା କେତେ ବାଟ । ବାଟ ତ ସରିଗଲା । ଆଉ ହେଇକିରି ମିନିଟିଏ ଲାଗିବ । ତା’ ଛାତି ଭିତରେ କିଏ ଗୋଟାଏ ଦାଉଁକିରି ପିଟିଦେଲା । ଯେମିତି ପିଟାଘଣ୍ଟାରେ ଟ୍ରେଜେରୀ ପହରାବାଲା ଦୁଲ୍‍କିନା ପାହାରଟାଏ ବସେଇଦିଏ । ସେ ଚିହିଁକି ଉଠିଲା, ଉପରକୁ କୁଦିପଡ଼ିଲା । ପୁଣି ଯେତେବେଳେ ତଳେ ଗୋଡ଼ ଲାଗିଲା ସେତେବେଳେ ଯାଇଁ ବୁଝିଲା, ସେ ପୃଥିବୀ ଉପରେ ଠିଆ ହୋଇଛି । ତା’କୁ ଭାରି ଭୟ ହେଲା । ଛାତିଟା ଖାଲି କିଣି କିଣି କରୁଥାଏ । ଆଗକୁ ପାଦ ବଢ଼େଇବାକୁ ସାହସ ହେଉ ନ ଥାଏ । ସେ କିନ୍ତୁ ଜୋର୍‍କରି ଡାହାଣ ପାଦଟା ଉଠେଇଲା ଆଉ ହାତେ ଆଗକୁ ଖପ୍ କରି ମାଡ଼ିଗଲା । ବାମ ଗୋଡ଼ଟା ତା’ପରେ ଉଠିଗଲା । ସେ ଏଣିକି କେବଳ ଦଉଡ଼ିଲା । ସେ ଜାଣେନା ସେ ଯାଇ ଷ୍ଟେସନରେ । ସାମନାରେ ଟିକେଟ୍ ଘରଟା କେତେଟା ଆଖି ମେଲେଇ ତା’ ଆଡ଼କୁ ବଲ୍ ବଲ୍ କରି ଚାହଁଛି । ସେ ଥକ୍‍କାହୋଇ ଠିଆ ହୋଇଗଲା । କିନ୍ତୁ ଠିଆ ହେବାକୁ ବେଳ କାହିଁ । ଗୋଟାଏ ନିଃଶ୍ୱାସ ଭିତରକୁ ପଶି ଓଲଟି ଆସିଲା ବେଳକୁ ସେ ଦୁଇଜଣ ଆସି ତା’ପାଖରେ ହାଜର । ତାଙ୍କୁ ଦେଖି ତା’ ମନରେ ଗୋଟାଏ ଭାରି ଦମ୍ଭ ଆସିଲା । ପୁଣି ତା’ରି ଭିତରେ କେତେ ଯେ ଆଶଙ୍କା ହେଲା । ଜଣେ ତା’ର ହାତଧରି ନେଇଗଲା । ସେମାନେ ଯାଇ ଗୋଟାଏ ବେଞ୍ଚରେ ବସିଲେ । ଏପାଖରେ ଜଣେ ସେପାଖରେ ଜଣେ । ପୁଟୁଳାଟିକୁ ଜଙ୍ଘ ଉପରେ ରଖି ଷ୍ଟେସନଟାକୁ ସେ ଅନେଇ ଦେଖିଲା । ଏ ଦେଖଣାଟା ଯେମିତି ତା’ର ଭାରି ନୂଆ । ପ୍ଲାଟ୍‍ଫର୍ମଟା କେଡ଼େ ଫାଙ୍କା । ଅଫିସ ବାରଣ୍ଡାରେ ଯାହା ଦୁଇ ତିନିଟା କୁଲି ଶୋଇଥା’ନ୍ତି ।

 

ଦୁଇଜଣଯାକ ତା’କୁ ଭାରି ଆଦର କଲେ । ତା’ର ହାତଧରି ସାଉଁଳଉ ସାଉଁଳଉ ଜଣେ କହିଲା, ‘ତୁ ତାହାହେଲେ ଆସିଲୁ, ବିକୁ । ଆମେ ତ ଏଇଲେ ଭାବୁଥୁଲୁ ସେ କ’ଣ ଆସିବ ?’ ଆଉ ଜଣେ କହିଲା, ‘ମୁଁ କ’ଣ କହୁଥିଲି, ବିକୁ ନିଶ୍ଚେ ଆସିବ । ସେ କ’ଣ ଆଉ ଜୀବନଟାକୁ ହୋଟେଲଟାରେ ଏମିତି ବରବାଦ୍ କରିଦେବ ।’ ଏ ସବୁର କ’ଣ ଉତ୍ତର ଦେବ ସେ ଜାଣିନଥିଲା । କିଛି ଉତ୍ତର ବି ସେତେବେଳେ ତା’ ମୁଣ୍ଡରେ ଢୁକି ନ ଥିଲା । ତା’କୁ ତ ଏ ପରିସ୍ଥିତି, ଏ କଥା କି ପ୍ରକାର କେମିତି ଲାଗୁଥାଏ । ପୁଣି ସେମାନେ କହିଥିଲେ, ଗାଡ଼ି ଅବି ଆସିଯିବ । ଏଇ ଘଣ୍ଟାଏ ଅଧଘଣ୍ଟା ଭିତରେ । ଖାଇଛୁ ତ ? ସେ ଖାଲି ହଁଟିଏ ମାରି ଦେଇଥିଲା । ତା’ ପାଟିରୁ ବିଶେଷ କଥା ସେମିତି ବାହାରିଲାନି । ମନଭିତରେ ବି କୌଣସି ଚିନ୍ତା ନ ଥିଲା, ଝଡ଼ ପରେ ସେ ଯୋଉ ଶାନ୍ତି, ନା ଶ୍ରାନ୍ତି । କେମିତି ଖାଲି ଅସ୍ୱାଭାବିକ ଲାଗୁଥାଏ ।

 

ସେଠୁ ଉଠି ସେମାନେ ଆଉ ଗୋଟାଏ ବେଞ୍ଚକୁ ଚାଲିଗଲେ । ପ୍ଲାଟ୍‌ଫର୍ମର ଶେଷ ମୁଣ୍ଡରେ ସେ ବେଞ୍ଚଟା । ସେ ଅଞ୍ଚଳଟାରେ ଆଲୁଅ ନ ଥିଲା । ସେଠି ଜଣେ ଲମ୍ବହୋଇ ଶୋଇପଡ଼ିଲା । ବିକୁକୁ ତା’ ପାଖରେ ଶୋଇବାକୁ ଡାକିଲା । ଆର ଜଣକ ତା’ ମୁଣ୍ଡ ପାଖରେ ବସିପଡ଼ିଲା । ଅଣଓସାରିଆ ବେଞ୍ଚଟା । ଜଣେ ବି ସ୍ଵଚ୍ଛନ୍ଦରେ ଶୋଇ ପାରିବ ନାହିଁ, ବିକୁକୁ ଭଲ ଲାଗିଲା ନାହିଁ । ବିକୁ ମନା କରିଦେଇ ଠିଆହୋଇ ରହିଲା । ‘‘ଆରେ ଆ ଆ ମ’, ବିକୁର ହାତଧରି ଟାଣିନେଲା ଶୋଇଥିବା ଯୁବକ ଜଣକ । ପାଖରେ ବସେଇ ତା’ ଅଣ୍ଟାକୁ ଜାକି ଧରିଲା । ବିକୁକୁ କେତେ ଖରାପ ଲାଗିଲା । ଏ ସ୍ନେହର ମୋଟାମୋଟି ଧାରଣା ତା’ ମନକୁ କାହିଁକି ତିକ୍ତ କରିଦେଲା-। ସେ ଉଠି ଠିଆ ହେବାକୁ ଚେଷ୍ଟା କଲା । ଉଠି ପାରିଲାନି, ସେମିତି ବସି ରହିଲା ।

 

କେତେ ସମୟ ବିତିଗଲା । ମନରେ ତା’ର କେତେ କ’ଣ କଥା । ତା’ ଗାଆଁର ସେଇ ଯେଉଁ ଗୁଡ଼ୁମ୍ ପେଟା । ଏବେ କେମିତି ହୋଇ ଯିବଣି କେଜାଣି, ତା’ ଚାଇଁ ତ ସେ କେତେ ବଡ଼ । ପେଟ ତୁଳନାରେ ହାତଗୋଡ଼ଗୁଡ଼ାକ ତା’ର କି ସରୁ । ଦେହରେ ମୋଟେ ବଳ ନାହିଁ । କାହାରିକି ପାରେନା । ତା’ ସାଙ୍ଗରେ ସାନ ବଡ଼ ସମସ୍ତେ ଲଗାନ୍ତି । ଆଉ ସେ ରାଗିଗଲେ, ତା’ ପେଟକୁ ଲଗେଇ ଦେଇ ଜାବୁଡ଼ି ଧରେ । ତା’କୁ ବି ଏମିତି କେତେଥର ଧରିଥିଲା ସେ । ଭାରି ମଜା ଲାଗେ-। ପେଟରେ ଗୋଟାଏ ଖେଞ୍ଚା ଦେଲେ ଭେଁ ଭେଁ କାନ୍ଦି ଉଠି ଛାଡ଼ିଦିଏ । ମୁହଁ ବୁଲେଇ ଦୁଇଜଣଙ୍କ ମୁହଁକୁ ଚାହିଁଲା ସେ । ଅନ୍ଧାର ତ, ଯାହା ଝାପ୍‍ସା ଝାପ୍‍ସା ଦେଖିଲା ସେଥିରୁ ଅନୁମାନ କଲା, ଜଣେ ବେଶ୍ ଆରାମରେ ଶୋଇ ଗଲାଣି, ଆଉ ଜଣେ ହାତରେ ଓଠ ଭରା ଦେଇ ଢୋଳଉଛି-। ତା’ ଆଖିକି ବି ଏଥରକ ନିଦ ନଇଁ ଆସିଲା । ପତା ଭାରି ଭାରି ଲାଗିଲା । ଏଇ ସମୟରେ କେତେ ଦୂରରେ ଗୋଟାଏ ବଡ଼ ଆଲୁଅ ଦେଖାଗଲା । ଆଖିପତା ମକଚି ଦେଇ ଭଲ କରି ଦେଖିବାକୁ ଚେଷ୍ଟା କଲା ବେଳକୁ ତା’ କାନରେ ଧସ୍‍ଧସ୍ ଶବ୍ଦ ଶୁଣାଗଲା । ଆଲୁଅଟା କେତେ ଜୋରରେ ଆଗକୁ ମାଡ଼ି ଆସୁଛି । ସେ ଦୁଇଜଣଙ୍କର ନିଦ ଭାଙ୍ଗିଗଲା । ଟ୍ରେନ ଆସି ଗଲାଣିରେ । ଧଡ଼ପଡ଼ ଉଠି ତା’ର ହାତ ଟାଣି ନେଇଗଲେ ସେମାନେ ।

 

ଗାଡ଼ି ଅଟକିଲା । ତା’କୁ ନେଇ ସେମାନେ ଗୋଟାଏ ଡବାରେ ବସେଇ ଦେଲେ । ଆଉ ଦି’ ଦୁଆର ମୁହଁରେ ଦୁଇଜଣଯାକ ଠିଆ ହୋଇ ରହିଲେ । ଗାଡ଼ି ପୁଣି ଚାଲିଲା । ଗାଡ଼ିର ପ୍ରଥମ ଧକ୍‍କାରେ ବିକୁ ବୁଝିଲା ଯେ ସେ ରେଲଗାଡ଼ିରେ ବସି କୁଆଡ଼କୁ ଯାଉଛି । ସେ କିନ୍ତୁ ବୁଝି ପାରିଲାନି କୁଆଡ଼କୁ ଯାଉଛି ଆଉ କି ଉଦ୍ଦେଶ୍ୟରେ । ଗତଥର ଏମିତି ରେଲଗାଡ଼ିରେ ବସି ସେ ଆସିଥିଲା । ସେତେବେଳେ ବି ଜାଣିନଥିଲା କୁଆଡ଼କୁ ଯାଉଛି; କିନ୍ତୁ ତା’ର ଉଦ୍ଦେଶ୍ୟ କିଛି ଗୋଟାଏ ଥିଲା । ଏଥରକ ସବୁ ଯେମିତି ଗୋଳମାଳିଆ !

 

ଆଖି ମେଲେଇ ଡବା ଭିତରକୁ ଚାହିଁଲା । ବାହାରକୁ ଟିକେ ନଜର ପକେଇ ଦେଲା । ବାହାରଟା କି କଳା, ଦୁନିଆର ସବୁ ଧାନ ଉଷୁଁଆ ହାଣ୍ଡି ଦେହରୁ ସବୁତକ କଳା ପୋଛିଦେଇ କିଏ ଯେମିତି ପୃଥିବୀଟାକୁ ରଙ୍ଗ କରିଦେଇଛି । ଶିହରି ଉଠିଲା ସେ । ସେଠୁ ଆଖି ଫେରେଇ ଆଣିଲା । ଡବା ଭିତରେ ପ୍ରାୟ ସମସ୍ତେ ଘୁମଉଥାନ୍ତି । ତା’ର ସାଥି ଦି’ଜଣ ଯାକ ଦି’ ଦୁଆର ମୁହଁରେ ଠିଆ ହୋଇ ପଦାକୁ ଅନେଇଥାନ୍ତି । ବେଶୀ ସମୟ ଚାହିଁପାରିଲା ନାହିଁ ସେ । ପତାଗୁଡ଼ିକ ନଇଁ ଆସିଲା-। ସେ ବି ଢୁଳେଇ ପଡ଼ିଲା ।

 

‘ଆରେ ଉଠ୍’ । ବିକୁର ନିଦ ଭାଙ୍ଗିଗଲା । ସେ ଦି’ଜଣଙ୍କ ଭିତରୁ ଜଣେ ତା’ର ହାତ ଧରି ଉଠେଇ ଦେଇ ରେଲଗାଡ଼ିରୁ ବାହାରକୁ ନେଇଗଲା । ସେମାନେ ରେଳରାସ୍ତା ଉପରେ ଓହ୍ଲେଇ ପଡ଼ିଲେ । ବିକୁ ଝୁଣ୍ଟି ପଡ଼ିଲା । ଜଣେ ତା’କୁ ଉଠେଇ ଦେଇ କହିଲା, ‘ଏଇ ବାଟେ ଚାଲିଯିବା, ପ୍ଲାଟଫର୍ମ ବାଟେ ବହୁତ ବୁଲାଣି ।’ ବିକୁ କାଗଜ ଠୁଙ୍ଗାରେ ଗୁଡ଼ା ପୁଡ଼ିଆଟିକୁ ଗୋଟେଇ ନେଇ ଧରିଲା । ସେମାନେ ଚାଲିଲେ ।

 

ରାତି କେତେ ହେବ କେଜାଣି ! ସମସ୍ତେ ଗୋଟାଏ ଘର ପାଖରେ ପହଞ୍ଚିଲେ । ଜଣେ ଚାବି ବାହାର କରି ଗୋଟାଏ ବଖରା ଖୋଲିଲା । ମହମବତୀ ଜଳେଇ ଦେଲା । ସମସ୍ତେ ଭିତରକୁ ଗଲେ । ସତରଞ୍ଜିଟିଏ ବିଛେଇ ସେମାନେ ଗଡ଼ି ପଡ଼ିଲେ ।

 

ସେତେବେଳେ ବିକୁ ଆଖିରେ ଆଖିଏ ନିଦ । ପୁଡ଼ିଆଟିକୁ ଗୋଟାଏ କଣକୁ ଥୋଇଦେଇ ସେଇଠି ସେ ଶୋଇପଡ଼ିଲା । ସେ ଦୁଇଜଣ ତା’କୁ ଉଠେଇ ନେଲେ । ସେମାନଙ୍କ ମଝିରେ ଶୁଆଇ ଦେଲେ, ଗେଲ କଲେ । ବିକୁକୁ ଏଗୁଡ଼ା କେମିତି କେମିତି ଲାଗିଲା । କିନ୍ତୁ କ୍ଳାନ୍ତି ଓ ନିଦ୍ରା ଏକ ଭୟଙ୍କର ବିମୋହନ ବିସ୍ତାର କରିଥିଲେ ତା’ ଉପରେ । ତା’ର ଉପାୟ ବା କ’ଣ ଥିଲା-! ସେ ରାତିରେ ତା’ ଜୀବନରେ କ’ଣ ଯେ ଘଟିଗଲା ।

 

ଦିନ କେତେଗୁଡ଼ା ହେଲାଣି ତା’ର ନିଦ ଭାଙ୍ଗିଲା । କର ଲେଉଟେଇ ଉଠି ବସିଲା । ଦି’ପଟରେ ଦି’ ଜଣଯାକ ନିଘୋଡ଼ ନିଦରେ ଶୋଇଥିଲେ । ହଠାତ୍ ମନରେ ତା’ର କେତେ କଥା ଖେଳିଗଲା । କି ବୀଭତ୍ସ ସେ କଥା । ଦେହ ତା’ର ଶିହରି ଉଠିଲା । ସେମାନଙ୍କ ପ୍ରତି ତା’ର ଘୃଣା ଆସିଲା, ଅଜସ୍ର ଘୃଣା । କବାଟ ଖୋଲି ବାହାରକୁ ଚାହିଁଲା । ଖରା କି ଟାଣ, ସୂର୍ଯ୍ୟ କେତେ ଉପରେ । ସେତେବେଳକୁ ସାମନା ଘରର ପିଲାଗୁଡ଼ା ଘର ବାହାର ଏପାଖ ସେପାଖ ଖେଳୁଥାନ୍ତି । ରାସ୍ତା ଉପରକୁ ଆସିଲା । ଜଣେ ପିଲା ସେବାଟେ ଯାଉଥିଲା । ତା’କୁ ପଚାରି ବୁଝିଲା, ଜାଗାଟା, କାଜିପେଟ, ବାଲେଶ୍ଵର । ବାସ୍, ପୁଣି ସେଇ ବାଲେଶ୍ଵର । ଏଇ ବାଲେଶ୍ଵରରୁ ସେ ରାତିରେ ପଳେଇ ଯାଇଥିଲା ରେଳରେ । ପୁଣି କାଲି ରାତିରେ ଫେରି ଆସିଲା ରେଳରେ । ଆଉ କି ଯେ ରାତି ସେଇଟା ! ଛାତିରେ କିଏ ତା’ର ଦୁଲ୍‍କିନା ପିଟିଦେଲା ।

 

ସେ ରାସ୍ତା ଉପରୁ ଝଅଟ କରି ଘର ଭିତରକୁ ଚାଲିଗଲା । କବାଟ ଆଉଜେଇ ଦେଲା-। ବସିବାକୁ ଗଲାବେଳକୁ ଦେଖିଲା, ସେ ଦୁଇଜଣ କଡ଼ ଲେଉଟେଇ ତା’କୁ ଚାହିଁଛନ୍ତି । ଜଣେ ତା’ର ହାତ ଧରି ପାଖକୁ ଟାଣିନେଇ କୋଳରେ ଜାକି ଧରିଲା ।

 

ହୋଟେଲରେ ତିନିଜଣଯାକ ଖାଇସାରି ଫେରିବାବେଳକୁ ଦିନ ପ୍ରାୟ ବାରଟା । ଘର ଖୋଲି କ’ଣ ଗୋଟାଏ ଲମ୍ବେଇ ଦେଇ ସେମାନେ ଗଡ଼ି ପଡ଼ିଲେ । ବିକୁ ସେଇଠି ବସିପଡ଼ିଲା । ତା’ପରେ...ତା’ପରେ ବିକୁର ଭବିଷ୍ୟତ । କେତେ କଥା ପଡ଼ିଲା । କେତେକଥାସବୁ ଆଜି ଆଉ ମନେ ନାହିଁ ।

 

ସ୍ଥିର ହେଲା, ପର ଘରେ ଗୋଲାମୀ କରିବାଟା ଭଲ ହେବନି । ଖଟି ଖଟି ନିଜେ ମରି ପରକୁ ପୋଷିବାଟା ସିନା ହେବ । ହେଇ, ସେଠି ଦିନରାତି କେତେ ଖଟିଛୁ ତୁ ! କ’ଣ ହେଲା । ସେ ଶଳାକୁ ଖାଲି ଲାତ୍ ମାରିବା କଥା । ତୋ ଭଳିଆ ପିଲାକୁ ପୁଣି ଏମିତି ହୀନସ୍ତା । ଆମକୁ ଭାରି ଖରାପ ଲାଗିଲା । ଆମେ ତତେ ସେଠୁ ଉଡ଼େଇ ଆଣିଲୁ । ଆଉ କାହା ଘରେ ରହିବା କଥା ଉଠି ପାରେନା । ଅନ୍ୟ ବ୍ୟବସ୍ଥା କରିବା । ଆମେ ତତେ ସବୁପ୍ରକାର ସାହାଯ୍ୟ କରିବୁ । ଏଇନେ ଏଇ କୋଡ଼ିଏ ଟଙ୍କା ନେ । ଏଥିରେ ବାରମଜା, ଚନାଚୁର୍ ଚିନାବାଦାମ ବ୍ୟବସ୍ଥା କର । ଆଉ ଟଙ୍କା ଦରକାର ପଡ଼ିଲେ ଆମେ ଦବୁ । ତୋର ବା କୋଉ ଦରକାର ପଡ଼ିବ ? ତୁ ତ ନିଜେ କେଇଟା ଦିନରେ ଗୋଟାଏ ମହାଜନ ବନିଯିବୁ । ଆଉ ଗୋଟାଏ କଥା । ଏ ଘରଟା ଜାଣ ତୋର । ତୁ ତୋର କାମ ଧନ୍ଦା ସାରି ଏଇଠି ରହିବୁ । ଆମେ ତ ଏବେ ଚାଲିଯିବୁ । ଦି’ ଚାରି ଦିନରେ ଆସିବୁ । ଆମର କାମ ଯାହା ନା ଏମିତି ମଝିରେ ମଝିରେ ଆସିବୁ ଯିବୁ । ତୁ ଜାଣି ଘର ଜଗି ରହିବୁ । କ’ଣ, ହେଲା ତ ।

 

ସେମାନେ ବିକୁ ହାତକୁ ଦି’ଟା ଦଶଟଙ୍କିଆ ନୋଟ୍ ବଢ଼େଇ ଦେଇ କଅଁଳେଇ କିହଲେ, ‘‘ତୋର କିଛି ଅସୁବିଧା ହେବନି, ଦେଖିବୁନି କି । ଆମେ ବରାବର ଆସି ତୋର ସବୁ ସୁବିଧା କରିଦେଇ ଯିବୁ ।’’

 

ବିକୁ ଆଉ କ’ଣ ବା କହନ୍ତା । ଆଗକୁ କ’ଣ ହବ ତା’ ବିଷୟରେ କିଛି ଧାରଣା ସେ କରି ପାରିଲାନି । ଜାଗାଟା ବାଲେଶ୍ୱର । ଛ, ସାତ ମାଇଲ ଦୂରରେ ତା’ର ଗାଁ, ତା’ର ଘର । ସେଠି ବୋଉ ଅଛି । ବୋଉ ପାଖକୁ ଯିବାକୁ ପ୍ରବଳ ଇଚ୍ଛା । ପୁଣି ମନକୁ କେମିତି ପାପ ଛୁଇଁଲା । କେତେ ଦିନ ହେଲାଣି ସେ ଗଲାଣି, ବୋଉକୁ ତ କିଛି ଖବର ଦେଇନି । ସେଥିରେ ପୁଣି କାଲି ରାତିରେ ଯେଉଁ କଥାଟା ଘଟିଗଲା, ତା’କୁ କିପରି ଅଛୁଆଁ ଲାଗିଲା । ନା, ସେ ଏମିତି ଗାଁକୁ ଯିବନି । ହୁଏତ, ପରେ କେବେ– ।

 

ବାଲେଶ୍ଵରରୁ ଉପରକୁ ଖଡ଼ଗପୁର ଓ ହାବଡ଼ା, ତଳକୁ କଟକ ଓ ପୁରୀ । ୟାରି ଭିତରେ ସେ ଯା’ ଆସ କରେ । ବେକରେ କିରାସିନିପିଟା ତିଆରି ଗୋଟାଏ ଡାଲା । ତା’ ଭିତରେ ଚିନାବାଦାମ, ବାରମଜା, ଚନାଚୁର୍ ଆଉ ବିଡ଼ାଏ ଶାଳପତ୍ର । ଏ ଡବାରୁ ସେ ଡବା ଡେଇଁ, କେତେବେଳେ କୋଉ ଷ୍ଟେସନରେ ପହଞ୍ଚିଯାଏ, ଜାଣିପାରେନା । କିଛିଦିନ ପରେ ଷ୍ଟେସନଗୁଡ଼ାକ ତା’ର ଭାରି ପରିଚିତ ହୋଇଗଲେ । କେତେ ରକମର ଲୋକଙ୍କୁ ସେ ଦେଖେ, କଥା କହେ, ସଉଦା ବିକେ । ଆଉ ବି ତା’ ଦେଖିଲା କାମ କରେ ।

 

ୟା’ଭିତରେ କେତେବାର ସେ ତାଲିମ ନେଲାଣି, ସେ ଦୁଇଜଣଙ୍କ ଠାରୁ । ଏପାଖ ଲାଇକରେ କାମ କରିବାକୁ ଆସିଲେ ସେମାନେ ତା’ର ସାହାଯ୍ୟ ନେଇଥାନ୍ତି । ତାକୁ ବି ସେଇ ରାଜବିଦ୍ୟା ଶିଖେଇଥା’ନ୍ତି । ପ୍ରଥମେ ଛାତି ଟିକେ ଥରୁଥିଲା । ମନରେ ଭୟ ଲାଗୁଥିଲା । ସେଗୁଡ଼ା ସବୁ ଏବେ କୁଆଡ଼େ କଟିଗଲାଣି । ସବୁ କାମ ତ ଅଭ୍ୟାସରେ ପଡ଼ିଯାଏ ।

 

ମାସେ ବି ଯାଇନି, ରେଲଗାଡ଼ିରେ ଚନାଚୁର୍, ଚିନାବାଦାମ ବିକିବାରେ ଓସ୍ତାତ୍ ହୋଇଗଲା । ଭାରି ଭଲ ବି ଲାଗିଲା ତା’କୁ । ଚାରି ଆଠ ଦିନରେ ସେମାନେ ଆସନ୍ତି । କୋଉ କୋଉ ଦିନ ସେ ସେମାନଙ୍କୁ ଦେଖେ । କୋଉ ରାତିରେ ସେମାନେ ରହନ୍ତି । ପରଦିନ ଚାଲିଯା’ନ୍ତି-। ସେ ରାତିଠାରେ ବିକୁକୁ କେମିତି ଖରାପ ଲାଗେ । କିନ୍ତୁ କ’ଣ ବା କରିବ ସେ ।

 

ଦିନେ ଯିବା ପୂର୍ବରୁ ସେମାନେ ତା’କୁ କହିଲେ, ‘‘ତୁ କ’ଣ ଏମିତି ସବୁଦିନେ ଚିନାବାଦାମ ବିକୁଥିବୁ ? ଏଥିରେ ବା କେଇଟା ପଇସା । କି ପଇସା ବା ରୋଜଗାର କରୁଛୁ । ମଉଜ ମଜଲିସ୍‍ ସେଥିରେ ବା କେମିତି କରିବୁ ? ଦୁନିଆରେ ଯେ କେତେ କଥା, କେବେ ଆଉ ଜାଣିବୁ । ଆଜି ତୋତେ ଗୋଟାଏ ପକ୍‍କା ପାଠ ଶିଖେଇ ଦବା ।’’

 

ସେ ଦିନଟାରେ ବିକୁ ଚନାଚୁର୍ ବିକିବାକୁ କୌଣସି ରେଲଗାଡ଼ି ଧରିଲା ନାହିଁ । ସେମାନେ ବି କୁଆଡ଼େ ଗଲେନି । ଖାଇଦେଇ ଶୋଇଗଲେ । କେତେ କଥା ପଡ଼ିଲା । ପଇସା କୋଉଠୁ ଆସେ ଆଉ କୁଆଡ଼କୁ ଯାଏ ପୁଣି କେମିତି ଯାଏ । କେଇଟା ମଣିଷ ବା ଗତର ଖଟେଇ ବେଶୀ ପଇସା କରିପାରେ । ଗୋଟିଏ ଗିଲାସ ମାଲକୁ ତ ଜଣକର ରୋଜଗାର ଅଣ୍ଟିବନି । ଥରେ ବି ତ ଭଲ ଖାନା ମିଳିବନି । ଆଉ ପୁଣି ଦୁନିଆସାରା ବଡ଼ଲୋକଗୁଡ଼ାକ ଶାଲା ଛତୁଫୁଟିଲା ପରିକା ଭର୍ତ୍ତି ହୋଇଗଲେଣି । ସବୁ ଶାଲା ଚୋର । ବୁଝିଲୁ ବିକୁ । ଏଗୁଡ଼ା ଅତି ସାଧାରଣ କଥା । ଏଥିରେ ଟିକେ ଖାଲି ଚାଲାଖି ଦରକାର । ଆଜି ତୁ ଆମ ସାଥିରେ ଚାଲ୍ । କ’ଣ କେମିତି ହବ, କିପରି ହବ ଦେଖିବୁ ।’

 

ନିଦ ଭାଙ୍ଗିଲା ସଞ୍ଜବେଳକୁ । ତରତରରେ ତିନିଜଣଯାକ ବାହାରି ଗଲେ । ବିକୁ ବେକରେ ଚନାଚୁର୍ ଡାଲାଟା ଲମ୍ବେଇ ଦେଇ ଚନାଚୁର୍ ବାରମଜା ଡାକି ଗୋଟାଏ ବଗିରେ ଚଢ଼ିଲା-। ସେମାନେ ଚଢ଼ିଲେ ପାଖ ବଗିରେ । ଓର ଉଣ୍ଡି ବୁଲିଲେ । ବିକୁ ତା’ର ସତର୍କରେ ରହିଲା-। କେତେବେଳେ ଯେ ଡାକରା ଆସିଯିବ–କାମର ଡାକରା ।

 

ସେ ରାତିଟା ଭୋର ହେଲା । ସକାଳ ବି ହେଲା । ଗାଡ଼ି ଲାଗିଲା ହାବଡ଼ା ଷ୍ଟେସନରେ-। ଗାଡ଼ି ଠିଆ ହୋଇନି, ବିକୁ ଓହ୍ଲେଇ ପଡ଼ି ଏପାଖ ସେପାଖ ଦି’ପରସ୍ତ ଖାଲି ଚାହିଁଗଲା । ‘ଏମିତି କ’ଣ ମଫସଲିଆ ଭଳି ହଉଚୁ କିରେ ? ବିକୁ ବୁଲି ପଡ଼ିଲା, ଦେଖେ ତ ସେମାନେ-। ସେତେବେଳକୁ ବିକୁ କାନ୍ଧରେ ଜଣକର ହାତ ଓ ଆଉ ଜଣେ ତା’ର ଡାଲାରୁ ମୁଠାଏ ଚିନାବାଦାମ ଧରିଥାଏ । ଥିରି ଥିରି ଜଣେ କହିଲା, ‘‘କି ବେଳାଟାରେ ବାହାରିଥିଲେରେ କିଛି ହେଲାଣି, ଏତେ ଟିକିଏ ସୁବିଧା ମିଳିଲାନି ।’’ ଏଇ ମିନିଟିକ ଆଗରୁ ବିକୁ ସେ କଥା ଭୁଲି ଯାଇଥିଲା । ଖାଲି ଗୋଟାଏ ଆଶ୍ୱସ୍ତି ତା’ ମନଭିତରେ ଭରି ରହିଥିଲା । ପୁଣି ତା’ର ମନେ ପଡ଼ିଗଲା ରାତିଟା ସାରା କେତେ ସତର୍କତା । ସେ କିଛି କହିପାରିଲାନି । କିଛି ଭାବି ପାରିଲାନି । ଖାଲି ଗୋଟାଏ ଲୟରେ ଗୋଟାଏ ଅତିକାୟ ପୋଷ୍ଟରରେ ତା’ର ଆଖି ଲାଖି ରହିଲା । ଜଣେ ତା’କୁ ହଲେଇ ଦେଇ କହିଲା, ‘‘ଦେଖ, ଆମେ ଆଉ ଲାଇନରେ ଯିବୁ । ତୁ ଫେରିଯା । ଆଉ ଦି’ଘଣ୍ଟା ପରେ ତ ଗୋଟାଏ ଟ୍ରେନ ଅଛି । ତୁ ଚାଲିଯିବୁ ।’’ କଥା ସରିଲା ପୂର୍ବରୁ ଚାଲି ଆରମ୍ଭ କରିଦେଇଥିଲେ ସେମାନେ-। ଚାଲିଗଲେ ।

 

ତାଙ୍କରି ଯିବାକୁ ଚାହିଁ ତା’ ମୁହଁରେ ଏକ ବିରାଟ ବ୍ୟର୍ଥତା ଫୁଟି ଉଠିଲା । ନବାଗତ ଛାତ୍ରର ବ୍ୟର୍ଥତା, ନୂତନ ଶିଳ୍ପୀର ବିଫଳତା । କ’ଣ ଯେ କରିଥାନ୍ତା, ସେ ଜାଣିନଥିଲା । କିନ୍ତୁ ଗୋଟାଏ କିଛି କରିବ ବୋଲି ଜାଣିଥିଲା । କିଛି ହେଲାଣି । ସେ ବି ମୁହଁ ଫେରେଇଲା । ଏଥର ସେ ଫେରିଯିବ । ଫେରିଗଲେ ଯାଇ ଏ ଉତ୍ପୀଡ଼ନରୁ ସେ ରକ୍ଷା ପାଇବ । ସେ ରାତିଟା ଖାଲି ଯାହା ପାହି ଯାଇ କେତେ ଆଶା, କେତେ ଆଶଙ୍କାକୁ ଯେ ତା’ର ମଉଳାଇ ଦେଲା !

 

ପ୍ରାୟ ପନ୍ଦର ଦିନ ଚାଲିଯାଇଛି । ସେମାନେ ଆସିଥିଲେ ଥରୁଟିଏ ପାଇଁ । ଭୋରୁ ଭୋରୁ ଆସି ପହଞ୍ଚିଲେ । ବିକୁ ସେମାନଙ୍କ ସାଙ୍ଗରେ ବେଶୀ ସମୟ ରହିନି । ବିକୁ ଜାଣେ ସେମାନେ ତା’ଠାରୁ କ’ଣ ଚାହାନ୍ତି । ସେଟା କିନ୍ତୁ ବିକୁକୁ ଭଲ ଲାଗେନା । ତେଣୁ ସେମାନେ ଆସିବା ପରେ ପରେ ସେ ଟ୍ରେନକୁ ବାହାରି ଗଲା ।

 

ଏଇ ଭିତରେ ବିକୁ ବହୁତ କିଛି ଜାଣିଗଲାଣି । ବହୁତ କଥା ଓ କାମ ବି ବୁଝିଲାଣି ଓ ଶିଖିଲାଣି । କେତେ କଥା ସେ ଆଖିରେ ନ ଦେଖିଛି । ରେଲଗାଡ଼ିରେ ଦିନ ଦିନ ଧରି ଯାଇ, ରାତିଗୁଡ଼ାକ କେବେ ରେଲଗାଡ଼ିରେ, କେବେ କୋଉ ପ୍ଲାଟଫର୍ମରେ କଟେଇ, କେତେ ଜାତିର, କେତେ କିସମର ଲୋକଙ୍କୁ ଭେଟି ସେ ଦୁନିଆର କେତେ କାମ, କେତେ ଉଦ୍ଦେଶ୍ୟ କଥା ବେଶ୍ ଜାଣିଗଲାଣି । ସେ ଆଉ ସେ ଦୁଇଜଣଙ୍କର ଶିକାର ହେବାକୁ ଚାହେଁନା । ସେ ଶିକାର ଖୋଜି ବୁଲିଲାଣି ।

 

ସେଦିନର ଅନୁଭୂତିର ଠିକ୍ ପନ୍ଦର ଦିନ ପରେ । ଗାଡ଼ି ଆସି ବାଲେଶ୍ୱର ଷ୍ଟେସନରେ ଲାଗିଥାଏ । ସେ ଗାଡ଼ିରୁ ଓହ୍ଲେଇପଡ଼ି ପ୍ଲାଟଫର୍ମରେ ବୁଲି ବୁଲି ବିକୁଥାଏ । କୁହୁଳୁଥିବା ମନ ତା’ର ହଠାତ୍ ହିଂସ୍ର ହୋଇଉଠିଲା । ଆଗରେ ପୁଟୁଳିଟାଏ । କାହାର ? ଲୋକ କେହି ପାଖରେ ନାହିଁ ? କେତେ ଏମିତି ବୁକୁଚା ତା’ ଦେଖିଲାରେ କୁଆଡ଼େ ଉଡ଼ିଯାଇଛି । ସେ ରାତିଟା ଜଗି ଜଗି କିଛି ହେଲାନି । ଆଜି କ’ଣ ଏ ସୁଯୋଗ ସେ ଛାଡ଼ିଦେବ ! ‘ଆରେ ଉଠାନା ।’ ଝଅଟ୍ କିନା ପୁଟୁଳିଟାକୁ ଟେକି ଡାଲା ତଳକୁ ଜାକିଦେଇ ପାହୁଣ୍ଡ ଟିକିଏ ଲମ୍ବେଇ ଦେଇ ଚାଲିବାକୁ ଆରମ୍ଭ କରିଛି କି ନାହିଁ ତା’ ବାହୁଟାରେ କାହାର ପାଞ୍ଚୁଟା ଆଙ୍ଗୁଳି ଜାବ ପଡ଼ିଗଲା । ପୁଟୁଳି ଖସି ପଡ଼ିଲା ।

 

ଏଇତ ତା’ର ପ୍ରଥମ ଅନୁଭୂତି ।

 

‘ଏତେବେଳ ହେଲା’, ପିଠି ଥାପୁଡ଼େଇ ସେମାନେ କହିଲେ, ‘ଆସି ଚାରିଟା । ଶଳା ବେଧୁଆଗୁଡ଼ାକଙ୍କର ଛାଡ଼ିବାକୁ କ’ଣ ମୋଟେ ଇଚ୍ଛା ଅଛି ।’ ଜେଲ ଫାଟକ ପାଖରେ ସେମାନେ ବିକୁକୁ ଅଭିନନ୍ଦନ ଜଣେଇଲେ । ‘ସାବାସ୍ ବିକୁ, ଏଥରକ କମାଲ୍, ଆଉ ଚିନ୍ତା କ’ଣ ।

 

ବିକୁ କିନ୍ତୁ ଖାଲି ଏପାଖ ସେପାଖ ଚାହିଁ ଦେଖିଲା । ରାସ୍ତାଟା କେଡ଼େ ଓସାରିଆ, କେତେ ଆଲୋକ, କେତେ ଉଜ୍ଜ୍ଵଳ ! ଆଉ କେତେ ଗହଳି । ଏତେ ଲୋକ ଭିତରେ ଏଇ ଦୁଇଜଣଙ୍କୁ ଛାଡ଼ିଦେଲେ ଚିହ୍ନା ଲୋକ ଆଉ ଗୋଟାଏ ବି ନାହିଁ । ଭୋରୁ ସଞ୍ଜ ଓ ଶୋଇବାଯାଏ ଯୋଉ ଲୋକଙ୍କୁ ଏ ଚାରିମାସକାଳ ସେ ବରାବର ଦେଖି ଆସିଲା, ସେମାନେ ଗଲେ କୁଆଡ଼େ ! ସେମାନଙ୍କୁ କ’ଣ ତା’ ପଛପଟ କେନାଲ ଲକ୍ ପୋଲ ଭଳିଆ ବିରାଟ କବାଟ ଯୋଡ଼ାକ ଗିଳି ଦେଲା ! ସତରେ ତ । ସେ ତରତର ହୋଇ ଚାଲିବାକୁ ଆରମ୍ଭ କଲା । ତା’ର ଯେ ପୁଣି ଆଶଙ୍କା ହେଲା ! ସେମାନେ ବି ଚାଲିଲେ ।

 

କିଛିବାଟ ଗଲାଠୁ ତିନିଜଣଯାକ ଗୋଟାଏ ହୋଟେଲରେ ପଶିଲେ । ଭାତ, ମାଂସ କୋରମା ଓ ଡବଲ୍ ଅଣ୍ଡା ଆମଲେଟ୍‍ । କେତେ ଯୁଗ ପରେ ଯେମିତି ବିକୁ ଏସବୁ ପାଇଛି । କି ରାକ୍ଷସୀ କ୍ଷୁଧା ! ସେ ଆତୁର ହୋଇ କେତେଗୁଡ଼ାଏ ଯେ ଶେଷ କରିଦେଲା ! ସେ ଦୁଇଜଣଯାକ ତା’କୁ ଖାଲି ଅନେଇଥାନ୍ତି । ଜଣେ ହସି ହସି କିହଲା, ‘କେମିତି କାଙ୍ଗାଳ ଭଳି ଖାଉଛି ।’ ଆରଜଣକ କହିଲା ‘ତୁ କ’ଣ ଜାଣିନୁ । ସେ ଶଳାଗୁଡ଼ା କ’ଣ ଖାଇବାକୁ ଦିଅନ୍ତି । ତା’ର ଚାରିମାସର ଉପବାସିଆ ଭୋକଟି’ । ସତରେ ବିକୁର ଚାରିମାସିଆ ଅଶାନ୍ତିଆ ଭୋକ । ପେଟ କ’ଣ ପୂରେ ନା ? ପୂରେ, କିନ୍ତୁ ଭୋକ ରହିଯାଏ ।

 

ସମସ୍ତେ ଫେରିଲେ ସେଇ ବସାକୁ । ବିଛଣା ପାରିଦେଇ ବିକୁକୁ କୋଡ଼ରେ ବସେଇ ବୋତଲ ଖୋଲିଲେ ସେମାନେ । ଗୋଟାଏ ବୋଲି ଗିଲାସ । ସେଟାକୁ ବିକୁ ଓଠ ପାଖରେ ରଖି ଜଣେ କହିଲା, ‘ନେ, ପିଇଦେ । ଆମର ଏଇ ବୋତଲରେ ଚଳିଯିବ ।’ ବିକୁ ମନା କରିଥିଲା । ଜୋର୍ ଦେଇ ମନା କରିଥିଲା । ସେମାନେ ଶୁଣିଲେନି । ‘ଆରେ, ଆଜିଠୁ ତୋର ନୂଆ ଜୀବନ ଆରମ୍ଭ ହେଲା । ବଞ୍ଚିବୁ ତ ମଣିଷ ଭଳି ବଞ୍ଚିବାକୁ ଚେଷ୍ଟାକର । ଏ ଜୀବନରେ, ଏ ବଞ୍ଚିବାରେ ଟୋକାଟୋକି, ବୋତଲ, ମାଉଁସ, ଦମ୍ଭିଲା ଛାତି, ପକ୍‍କା ହାତ, ଆଉ କିଟିକିଟିଆ ରାତିର ବହୁତ କାମ । ନେ, ଦି ଢୋକ ବି ତ ହବନି ।’

 

ସେ ରାତିଟା କୁଆଡ଼େ ଯେ ପାହିଗଲା । ଦଶଟା ବେଳକୁ ଉଠିଲେ ସମସ୍ତେ । ଖାଇଲେ ପୁଣି ଶୋଇଗଲେ । ବିକୁକୁ ନିଦ ଯେମିତି ଛାଡ଼ିବାକୁ ନାରାଜ । ପାଞ୍ଚଟା ବେଳକୁ ପୁଣି ଉଠିଲେ । ବିକୁ ଏଥର ତା’ର ଚନାଚୁର୍ ଡାଲା ବାହାର କଲା । ଦୁଇ ଚାରିଟା ଟଙ୍କା ହେଲେ ସେ ପୁଣି ବ୍ୟବସାୟ ଆରମ୍ଭ କରନ୍ତା । ‘ଆରେ ଛୋଡ଼୍‍ ଦୋ । ଆଉ କ’ଣ ଚନାଚୁର୍ ଚିନାବାଦାମ ! ଏ ଦି’ ପଇସା ଚାରି ପଇସାର କାରବାର କରିବା ଭଳି ଛୋଟଲୋକି କଥା ତୁ ଆଉ ଭାବ୍‍ନା’, ସେମାନେ ଏକ ସ୍ଵରରେ କହିଉଠିଲେ । ‘ଆସ୍ ଆଜି ଆମ ସାଙ୍ଗରେ । ଦି’ ଚାରିଟା ଚାଲ୍ ତତେ ଶିଖେଇଦବା । ଶଳା ପଇସା ଯଦି ପାରି ନ ଶୋଇଛୁ ।’ ଚାରିମାସର ଜେଲ୍‍ ରହଣି ପରେ ବିକୁର ମନକୁ ଏ କଥାଟା ବେଶ୍ ଘେନେଇଲା । ସେ ବି ସେଠି ଶୁଖିଲା ଚାଲ୍ ଦି’ ଚାରିଟା ଶିଖିଥିଲା, ଆଉ କାର୍ଯ୍ୟକ୍ଷେତ୍ରରେ ସେଗୁଡ଼ାକର କରାମତି ଦେଖେଇବାର ଇଚ୍ଛା ତା’ର ଭାରି ପ୍ରବଳ ହୋଇଉଠିଥିଲା-। ଜୀବନ ଆଉ ବଞ୍ଚିବାର ପ୍ରଣାଳୀ ବିଷୟରେ ଯୋଉ କଥା, ଯୋଉ ଉପଦେଶ ସେଠାରେ ସେ ଶୁଣିଥିଲା ଏବଂ ଯୋଉ ଉଦାହରଣ ସେ ଦେଖିଥିଲା ତା’କୁ ସବୁ କାମରେ ଲଗେଇବାର, ପାଳନ କରିବାର ଏବଂ ଅନୁକରଣ କରିବାର ଏକ ଦୁର୍ଦ୍ଦମନୀୟ ପିପାସା ତା’ର ଜାଗି ଉଠିଥିଲା । ସେ କ’ଣ ସତରେ ଚିନାବାଦାମ, ଚନାଚୁର୍ ବିକିବାରେ ସନ୍ତୁଷ୍ଟ ହୋଇ ପାରିଥାନ୍ତା ! ସେଇ ଗୋଟାଏ ବାହାନା ଧରି ସେ ତା’ର କାରବାରରେ ନିଶ୍ଚୟ ଲାଗିଥାନ୍ତା । ଆଉ ଏମାନେ ଯଦି ଡାକୁଛନ୍ତି ତେବେ ଚନାଚୁର୍ ବାହାନାର ଦରକାର ବା କ’ଣ ! କାହାକୁ ବା ପୁଣି ଡର ! ପୋଲିସକୁ ଦେଖିଛି-। ଜେଲଖାନା ତ ଦେଖିଛି । ସତରେ ଏକା ଦୁଧଭାତର ମାମୁଁଘର । ଦୁନିଆରେ ବଞ୍ଚିବା ପାଇଁ ଉପାଦେୟ କେତେ କଥା ସେଠି ସେ ନ ଦେଖିଛି ନ ଶୁଣିଛି ଏବଂ ନ ଶିଖିଛି । ବିକୁ ଆଉ ବିଶେଷ କିଛି ଭାବି ପାରିଲା ନାହିଁ । ସମ୍ମତି ଜଣେଇ ଦେଲା । ଭାରି ସ୍ନେହରେ ସେମାନେ ତା’କୁ କୋଳକୁ ଟାଣି ନେଲେ ।

 

‘ବେଟାର ସାହାସ ଦେଖ ! ମତେ ପୁଣି ଧରିବାକୁ ଚେଷ୍ଟା । ଧରୁଥା ବାବା, ବେଶ୍ ମଜାରେ ଧରୁଥା ।’ ଦେହରୁ ମୁହଁରୁ ବୋହୁଥିବା ଗମ୍‍ଗମ୍ ଝାଳଗୁଡ଼ାକ ପୋଛୁ ପୋଛୁ ବିକୁ ତା’ ସାଥୀକୁ କହିଲା, ‘ପାନେ ପାଇଗଲା ଏକା ।’ ହସି ହସି ସାଥୀ ପାଖରେ ବସିପଡ଼ିଲା ।

 

ହେଲା କ’ଣ ?

 

‘ତୁ କ’ଣ କିଛି ଜାଣିନୁ ? ମସଲା ପୁଡ଼ାଟା ତତେ ଦେଇଦେଲି । ତୁ ଠିକ୍ ଖସିଗଲା ପରେ, ମୁଁ ଯେମିତି ଝପଟ୍ ଦେଇଛି, ସେ ଜାଣି ପକେଇଲା । ହାତଟା ବଢ଼େଇ ଦେଇ ଧରି ପକଉଥିଲା ମୋର ଏଇଆକୁ ।’ ମଣିବନ୍ଧରେ ହାତ କଷି ଦେଖେଇଦେଲା । ‘‘ଫସ୍‍କରି ଛୁରିଟା ବଢ଼େଇ ଦେଲି । ଆଉ ସେ, ହାଃ ହାଃ ହାଃ, ତା’ର ମୁଠାର ଜାବଟା ପଡ଼ିଗଲା ଛୁରି ଉପରେ । ଖାଲି ଟିକେ କଣେଇ ମାରିଦେଲି । ଗୋଟାଏ ଆଙ୍ଗୁଠି ସେଇଠି ଖସିପଡ଼ିଲା ।’’

 

‘‘ସାବାସ୍ କରିଛୁ ଶଳାକୁ । ଟଙ୍କା କେଇଟା ପାଇଁ ଚିଲାଚିଲି, ଧରାଧରି ଏସବୁ କ’ଣ ! ତୋ ବୋପା ଶଶୁର ଅର୍ଜ୍ଜିଥିଲା ୟାକୁ । କୋଉଠୁ ଇହାଳିପ ଠକେଇକରି ଆଣିଥିବୁ ।’’

 

‘‘ମତେ ସେମିତି ଖୁନ୍ ନିକଲେଇବାକୁ ଭଲ ଲାଗେନା । ସେ ସେ ଯେବେ ଚାହିଁଲା ମୁଁ କ’ଣ କରିବି । ମୁଁ କ’ଣ ଛାଡ଼ିବା ଲୋକ । ଯାନେ ଦୋ । କେତେ ମସଲା ଅଛି ଦେଖିଲୁ ।’’ ବିକୁ ତାଗିଦ ଦେଲା ।

 

‘‘କ’ଣ ଏଇଠି । ତୋର ହିମତ ଭାରି ବହୁତ ହୋଇ ଗଲାଣି ଦେଖୁଛି । କୋଉଠୁ ଶଶୁର କି ଅଜାଶୁର ଆସି ପହଞ୍ଚିଯିବ ତ ଅଧା ତିନିପା ଭାଗ ନେଇଯିବ । ଚାଲ୍‍ ଟିକେ ସିଆଡ଼କୁ । ବିଡ଼ାଟା ବେଶ୍ ଶକ୍ତ ଜଣାପଡ଼ୁଛି ।’’

 

ଟିକେ ଆଢ଼ୁଆଳରେ ସେମାନେ ପୁଟୁଳିଟା ଖୋଲିଲେ । ସେଥିରେ ଥିଲା ଦିଶହ ପନ୍ଦର ଟଙ୍କା ଆଉ କେତେ ରକମର ବିଡ଼ାଏ କାଗଜ । ‘ଶଳା ବୁଦୁ କାହାଁକା ଅଛି ।’ ରାଗି ଉଠି ବିକୁ କହିଲା, ‘ଏଡ଼େ ବଡ଼ ବିଡ଼ାଟାରେ ମୋତେ ଏତିକି ମସଲା । ଆଣବେ ଦିଆସିଲିଟା ।’ କହୁ କହୁ ପକେଟରୁ ଦିଆସିଲି ବାହାରକରି ସେ କାଗଜବିଡ଼ାରେ ନିଆଁ ଧରେଇ ଦେଲା ବିକୁ ।

 

ୟା ଅପେକ୍ଷା କେବେ କେବେ ଅନେକ ବେଶୀ ଟଙ୍କା ସେ ପାଇଛି–ହଜାର ହଜାର ଟଙ୍କା । ଅଧିକାଂଶ ସମୟରେ ଅବଶ୍ୟ ଅନେକ କମ୍ ମିଳେ । ଅନେକ ସମୟରେ ହାତ ପଶେ ଆଉ ଖାଲି ଖାଲି ବାହାରି ଆସେ । କେତେବେଳେ ବା କଟା ପକେଟ୍‍ଟାରେ ଦୁଇ ଚାରିଅଣାର ରେଜା ପଇସା ଝଣ ଝଣ ହେଉଥାଏ । ସେତେବେଳେ ତା’ର ମନେହୁଏ ଲୋକଟାର ତଣ୍ଟିଟାକୁ ଧରି ଚିପି ଦିଅନ୍ତା । ଶଳା, ଏତେ କମ୍ ପଇସା ରଖି କ’ଣ ପିଲା ଭଣ୍ଡେଇବାକୁ ଆସିଛି !

 

ଏମିତିଆ ଜୀବନ । ଏ ଜୀବନର ନିରବଚ୍ଛିନ୍ନ ଧାରା କିନ୍ତୁ ଦ୍ରୁତବେଗରେ ପ୍ରବାହିତ । କୂଳରେ ତାଳ ତମାଳ, ଆମ୍ବ, ପଣସ, ଚାଖୁଣ୍ଡା, ବର, ଓସ୍ତ, ଲିମ୍ବ, ମହାଲିମ୍ବ, ଶାଳ, ପିଆଶାଳ, ଶିମୁଳି, ଯାଇ, ଯୁଇ, ବଣମଲ୍ଲିକା, କିଆ, କେତକୀ, ଭଇଁଚିକୋଳି, ନରକୋଳି, କଣ୍ଟାବୁଦା, କଣ୍ଟାସିଜୁ ଆଉ ଗୋଲାପ, ଟଗର, ଗେଣ୍ଡୁ କିଏ କେମିତି କେଉଁଠି କେମିତି କାଁଭାଁ ବି ଲଗେଇଥାନ୍ତି । ବଡ଼ ରସାଳ, ବଡ଼ ବିଚିତ୍ର ଏ ଜୀବନ । ଏ ଜୀବନର ଆସ୍ୱାଦନ ମଧୁର ତିକ୍ତ, ତିକ୍ତ ମଧୁର, ମିଠା ଖଟା ଓ ଖଟାମିଠାରେ ଏକବାରକେ ଭରପୂର । ଏଥିରେ ଶାନ୍ତି ନାହିଁ–ଶାନ୍ତି ମିଳେନା, ଶାନ୍ତିର ଦରକାର ନାହିଁ । ଅଶାନ୍ତି ଯେ ଜୀବନକୁ ଗତିଶୀଳ କରାଏ । ଅଶାନ୍ତି ଯେ ସଭ୍ୟତାର କାଉଁରୀକାଠି । ଶାନ୍ତି ଆସେ ବେଳେବେଳେ । ଅବଶ ହୋଇଉଠେ ତନୁ ମନ ଓ କ୍ଳାନ୍ତି ଅନୁଭବ କରନ୍ତି ସେମାନଙ୍କର ଆଜ୍ଞାବହ ଅବୟବଗୁଡ଼ିକ । ସେ ଦିନଗୁଡ଼ାକ ଜେଲରେ କଟିଯାଏ । ମାମୁଁଘର ଆଦର ପରଶା ଡାଲି ଭାତ ଖାଉ ଖାଉ । ଏଗୁଡ଼ାକ ତା’ର ଅନୁଭୂତି । ବିକୁର ଅଙ୍ଗେ ନିଭେଇଥିବା ଅନୁଭୂତି । ଆଜିର ବିକୁ, ବାଇଶି ବରଷର ଯୁବକ ବିକୁ । ବିକୁ, ବିକଳ, ବିକେଇ, ଦାମ, ହରିଶ, ରାଜୀବ, ପ୍ରକାଶ, ସ୍ୱାଇଁ, ସାହୁ, ଜେନା, ମଳିକ, ଘୋଷ, ଶର୍ମା, ମହାନ୍ତି, ମୁଣ୍ଡା, ସାନ୍ତରା ବିକୁ । ସୁନ୍ଦର ସ୍ୱାସ୍ଥ୍ୟ, ବଳିଷ୍ଠ ବପୁ । ଦେଖିଲେ ଶତ୍ରୁ ଶଙ୍କିଯିବ । ସାରା ଭାରତର ଅଧିବାସୀ ସେ । ପୁରା ଭାରତଟାର । କାଗଜପତ୍ରରେ ତା’ର ଜନ୍ମସ୍ଥାନ ଗୋଟାଏ ଦଶପଇସିଆ ବହି ।

 

ତା’ର ସେମାନଙ୍କ ସହିତ ଜୀବନ ନିର୍ବାହର ଏଇ ପନ୍ଥା ଗ୍ରହଣ କରି ବାହାରିପଡ଼ିଲେ ପ୍ରାୟ ଆଠ ବର୍ଷ ହେଲାଣି । ଏଇ ଆଠବର୍ଷ ଭିତରେ ତା’ ଜୀବନରେ କେତେ କ’ଣ ବିତି ଯାଇଛି । ପ୍ରତ୍ୟେକ ଜୀବନରେ ଦୁଃଖ ଆସେ । ତା’ ଜୀବନରେ ବି ସେମିତି ଦୁଃଖ ଆସିଥିଲା । ତେଣୁ ଭଗବାନଙ୍କ ପାଖରେ ତା’ର ବଡ଼ ଅଭିଯୋଗ, ଏଇଟା ତାଙ୍କର ଗୋଟାଏ କି ବ୍ୟବସ୍ଥା । ଏହାର ଗାଣ୍ଡିମୁଣ୍ଡ କିଛି ମିଳୁନି । ସୁଖ ଭୋଗ ହଉଚି ତ ହଉଚି, ପୁଣି ଆଡ଼ୁସାଡ଼ୁ କିଛି ଘଟଣା ଘଟେଇ ଦୁଃଖ ଦେବାଟା କେତେଦୂର ସମୀଚୀନ ତାହା ସେ ମୋଟେ ବୁଝି ପାରେନି ।

 

ଏଇ ଆଠ ବରଷ ଭିତରେ ପାଞ୍ଚଥର ଧରା ହୋଇ ସେ ଜେଲ ଭୋଗିଛି । ଜେଲରେ ରହିବାଟା ବିଶେଷ କିଛି ନୁହେଁ ତା’ପାଇଁ । ସେ ଜଣେ ରସିକ । ମିଜାଜ ତାଜା ଥାଏ ସବୁବେଳେ । ଯେକୌଣସି ଅବସ୍ଥାରେ ଓ ସ୍ଥାନରେ ସେ ହସଖୁସିରେ ରହିପାରେ । ତେଣୁ ଜେଲରେ ରହିବାଟା ତା’କୁ ସେମିତି କିଛି ବାଧେନା । କ’ଣ ବା ନ ପାଉଛି ସେଠି ! ଖାଲି ଟିକେ ଚାରିକାନ୍ଥ ଭିତରେ ରହିବାକୁ ପଡ଼ୁଛି ଯାହା । ସେଟା ବା କେଇଦିନ ପାଇଁ । ଏତକ ବି ତା’ର ବିଶ୍ରାମ ସମୟ ବୋଲି ଧରି ନେଲେ ଚଳିବ ।

 

ସେ କହେ ଟିକେ ସାହସ ଧରି ଦୁନିଆ ଆଗରେ ଠିଆ ହୋଇଗଲେ ଜୀବନରେ କାହାରି କିଛି ଅଭାବ ରହିବ ନାହିଁ । ସାହସ ଥିଲେ, ଦମ୍ଭ ଥିଲେ, ଲାଳସା ଓ ଅଭିଳାଷ ଥିଲେ ଉପାୟ ବେଳେ ବେଳେ ଆସେ ଓ କାମନାର ବସ୍ତୁ ଆପେ ଆପେ ଆସି ହାତ ପାଖରେ ହାଜର ହୁଏ । ଏଟା ଫାଲ୍‍ତୁ କଥା ନୁହେଁ । ଭାଣ୍ଡ ଦର୍ଶନ ବି ନୁହେଁ । ଏକଦମ୍‍ ନିପଟ, ନିଚ୍ଛକ ସତ କଥା । ସେ ଏହାକୁ ଅତି ଗଭୀର ଭାବରେ ବିଶ୍ୱାସ କରେ ଏବଂ ଏଇ ନୀତି ଓ ବିଶ୍ୱାସ ଉପରେ ଆସ୍ଥା ରଖି କାମ କରେ । ଆଉ କାମରେ ! ସଫଳତା ତା’ ହାତ ମୁଠାରେ । କେତେବେଳେ କେତେବେଳେ ଟିକିଏ ଗୋଳମାଳ ହୋଇଯାଉଛି ଅବଶ୍ୟ । ସେଟା କ’ଣ ଆଉ ମଣିଷ ଜୀବନରେ ବାଦ୍ ଦେଇ ହେବ ! ଦୁର୍ଘଟଣା ତ ପୁଣି ଘଟେ । ମଣିଷ କ’ଣ ଆଉ ଦେବତା ହୋଇଛି । ଦେବତାଙ୍କ ଦୁର୍ଦ୍ଦଶା ତ କହିଲେ ନ ସରେ ।

 

ଥରେ ଗୋଟାଏ ଜାଗାରେ ହାରିଗଲି । ହାରିନି ପ୍ରକୃତରେ, ୟା’କୁ କ’ଣ ହାରିବା କହନ୍ତି-। କିନ୍ତୁ ମୋ ମନରେ ଯୋଉ ଦାଗଟା ରହିଗଲା, ତା’ ଆଉ ମୋଟେ ଲିଭୁନି । ଟୋକିଟାକୁ ଉଡ଼େଇ ନେଇଥିଲି ଯେ ! ଏଇ ଦି’ବରଷ ତଳର କଥା । ବେଶ୍ ଘରୁଆ ଘରର ଝିଅଟା ! ଇସ୍ କି ଝିଅ ସେ-! ଦଣ୍ଡେ ଗଲା ଲୋକ ଘଡ଼ିଏ ଚାହିଁବ । ଗୋଟାଏ ନିଖୁଣ ଚାଉଳରେ ଗଢ଼ା । ହେଲେ ଭୋଗ କରିପାରିଲିନି । ଦଇବ ବାମ ହେଲେ ଆଉ କ’ଣ କଥା ଥାଏ । କି ଯୋଗରେ ଘରୁ ଗୋଡ଼ କାଢ଼ିଥିଲା ବିଚାରୀ । ଟ୍ରେନ ସେତେବେଳକୁ ଚାଲିବା ଆରମ୍ଭ କରି ଦେଇଥାଏ । ଆର ଟ୍ରେନକୁ ଅପେକ୍ଷା କରିବା ବିପଦ । ରିକ୍‍ସାରୁ ଓହ୍ଲେଇ ଦଉଡ଼ି ଦଉଡ଼ି ଗଲୁ । ମୁଁ ଚଢ଼ିଗଲି । ତା’ ହାତ ଧରି ଉଠେଇ ନେଲାବେଳକୁ...ଆଃ....ଆଖି ପିଛୁଳାକେ ସବୁ ଶେଷ । କେଡ଼େ ସୁନ୍ଦର ଦେହ, ମନ ମତାଣିଆ ବ୍ୟବହାର, ଇସାରାଦିଆ ଆଖି ଯୋଡ଼ାକ....ଇସ୍....କ’ଣ ହୋଇଗଲା । ତା’ପରେ ଦି’ମାସ କାଳ ଝଡ଼ା ଦି’ମାସ । ମୁଁ ଆଉ କୌଣସି ସ୍ତ୍ରୀକୁ ଛୁଇଁନି । ଚୋରି ବଦମାସି କଲେ ବି ମଣିଷର ତ ପୁଣି ଗୋଟାଏ ହୃଦୟ ଅଛି ! ମୁଁ ତା’କୁ ବାହା ହେବି ବୋଲି ପ୍ରତିଶ୍ରୁତି ଦେଇଥିଲି-। ଅବଶ୍ୟ ସେଇଟା ନିପଟ ମିଛ । ଏମିତି କେତେ ଝିଅଙ୍କୁ ତା’ ଆଗରୁ ଓ ପରେ ପ୍ରତିଶ୍ରୁତି ଦେଇଛି-। କେତେଗୁଡ଼ା ଝିଅ ଚାହାନ୍ତି ବାହା ହୋଇ ଜୀବନଟା ପାଇଁ ଗୋଟାଏ କିଛି ସ୍ଥାୟୀ ବ୍ୟବସ୍ଥା କରିନେବା ପାଇଁ । ରକ୍ଷା ହୋଇଛି ସମସ୍ତେ ଏମିତି ନୁହନ୍ତି । ସେମାନଙ୍କୁ ତ ପୁଣି ପାଲରେ ପକେଇବାକୁ ହେବ । ଆମେ ହେଲୁ ଉଡ଼ା ଚଢ଼େଇ । ଯଦି କୋଉଠି ବସା ବାନ୍ଧିଲୁ, ତା’ ମୋଟେ ଦି’ ଚାରିଦିନ ପାଇଁ । ସେମିତି ସୁବିଧା ଜାଗା ଜୁଟିଲେ ଅବଶ୍ୟ ମାସେ ଦି’ମାସେ, ଛ’ମାସ ବରଷେ ହୋଇଯାଏ । କଥା କ’ଣ ହୁଏ କି, ବସାଟା ଅଧିକାଂଶ ସମୟରେ ଫାଙ୍କା ପଡ଼ିଥାଏ । ଆମେ ଆମର ଚରି ବୁଲୁଥାଉ । ଯୋଉଠି ରହୁ ନା କାହିଁକି, ବେଶ୍ କଡ଼ାରେ ଥାଉ । ସବୁ କଡ଼ା । ପୋଷାକ କଡ଼ା, ମିଜାଜ କଡ଼ା, ଚାଲିଚଳଣ ଢଙ୍ଗରଙ୍ଗ ସବୁ କଡ଼ା । ଶଳା ଜମିଦାର କି ରଜାପିଲା କାହିଁକି ଏମିତି ହବ କି । ପାଖରେ ଦେଦାର ପଇସା ଥାଏ । ପୁଳାଏ ପାଖରେ ନ ଥିଲେ କେବେ କେଉଁଠି ବସା ବାନ୍ଧିନି । ମରଦ ପୁଅ, ଫାଙ୍କା ଅଣ୍ଟା ହେଲେ କ’ଣ ଆଉ ମରଦ ପଣିଆ ରହିବ ! ଅଣ୍ଟା ଫାଙ୍କା ଥିଲେ ମନଟା ବି ଥାଏ ଫାଙ୍କା । ପାଦ ଥାଏ ଗତିଶୀଳ, ହାତ ଥାଏ ଚଞ୍ଚଳ, ଖାଲି ଖଲଖଲ ହଉଥାଏ । କୋଉଠି ପକେଟ୍, କୋଉଠି ବୁକୁଚା ବ୍ୟାଗ୍ । ଏଇ ସମୟରେ ମଣିଷ ସାରା ଭାରତଟାକୁ ଏପାଖ ସେପାଖ ଖୋଜି ପକାଏ । କୋଉଠି ମାଲପାଣି ଅଛି, କୋଉଠୁ ମିଳିବ ମାଲପାଣି । ବେଳେବେଳେ ଭାରି ହଇରାଣ ହବାକୁ ହୁଏ । ମାସେ ଦି’ମାସ ଚାଲିଯାଏ । ଅଳ୍ପ ଯାହା ମିଳେ ସେଥିରେ ଗୁଜୁରାଣ ମିଟେଇ ନବାକୁ ହୁଏ । କ’ଣ ଏମିତି ହୁଏ କେଜାଣି, କେହି ଶଳା ଯାତ୍ରୀ ଯେମିତି ପାଖରେ ବେଶୀ ପଇସା ଧରି କୁଆଡ଼କୁ ଯାଆନ୍ତିନି ସେଦିନ କେଇଟାରେ । ଛାଡ଼ନ୍ତୁ ସେଗୁଡ଼ା, ହଇରାଣିଆ ବେଳର କଥା । ସବୁ ମଣିଷ ଜୀବନରେ ଏମିତି ହଇରାଣିଆ ବେଳ କମ୍ ବହୁତ ଆସେ ।

 

ଯୋଉ ପଡ଼ାରେ ମୁଁ ରହୁଛି ନା, କେତେ ପଡ଼ାରେ ମୁଁ ଯେ ରହିଛି ଅସୁମାରୀ । ସେଇ ସବୁ ପଡ଼ାର କେତେ ଯେ ଝିଅବୋହୂ ମୋ ପ୍ରତି ଢଳିଛନ୍ତି, ସେ ବି ଅସୁମାରି । ଅବଶ୍ୟ ସମସ୍ତଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଶରେ ମୁଁ ଆସିନି । ତେବେ କ’ଣ ଅନୁମାନ କରି ହବନି । ଚାହାଣିଟା ଦେଖି କ’ଣ ବାରି ହବନି ! ତେଣୁ ଯାହାକୁ ଇଚ୍ଛା ହେଉଛି ତା’କୁ ହାତ ନ କରି ଛାଡ଼ିନି । ପ୍ରଥମେ କେତେଟା ଉପହାର ପଠେଇଦେଲେ କାମଟା ଅନେକ ପରିମାଣରେ ସହଜ ହୋଇଯାଏ । କେଇଟା ଜାଗାରେ ଅବଶ୍ୟ ଫେଲ୍ ମାରିଛି । ମାତ୍ର କେଇଟା । ସବୁଠି କିନ୍ତୁ ଯେତେ ଉପହାର ଦେଇଛି, ତା’ର ବହୁଗୁଣ ମାରିଛି । ଟୋକୀ ଆସିଛି ତ ଆସିଛି ନ ହେଲେ ଘରୁ ଜିନିଷପତ୍ର ଉଠିଯାଇଛି । ଆମେ ଶାଗୁଣା ଦଳଟି ! ମୋର ଏଇ ମାତ୍ର ବାଇଶି ବରଷ ପୂରିଯିବ । ଆଉ ଏଇ ଛାତି ଉପରେ କେତେ ଯେ ଝିଅ ଢଳି ପଡ଼ିଛନ୍ତି । ଜୀବନଟାଯାକ ତ ଆହୁରି ପଡ଼ିଛି । ଏଥିରେ ମୋର କ’ଣ କିଛି ଗର୍ବ କରିବାର ନାହିଁ ! ଜୀବନକୁ ଉପଭୋଗ କରି ଜାଣିଲେ ସତରେ ଏକା ଜୀବନ ବଡ଼ ମଧୁର....ତା’ପରେ ।

 

କଣ୍ଠରେ ତା’ର ସେଦିନ କାହିଁକି ଟିକେ ହତାଶା ଦେଖାଦେଲା । ଅଳ୍ପକ୍ଷଣ ଆଗରୁ ଜେଲଖାନା ବଗିଚାରେ କାମ କରି ଆସିଥିବା ହାତ ଗୋଡ଼କୁ ଚାହିଁଲା । ସେଗୁଡ଼ାକ ମଇଳା ସାଲୁବାଲୁ । କପାଳରେ ହାତ ମାରି ଝାଳ ପୋଛିଦେଲା । ଗୋଳିପାଣି କେତେ ଟୋପା ତଳେ ପଡ଼ିଗଲା । ଗୋଟାଏ ଲମ୍ବା ନିଃଶ୍ୱାସ ଟାଣି କହିଲା, ‘‘ହଁ, ସବୁ ମଣିଷର ଜୀବନରେ ଏମିତି ସମୟ ଆସେ ।’’

 

‘‘ତିନିମାସ ପାଞ୍ଚଦିନ । ଏଇ ତିନିମାସ ପାଞ୍ଚଦିନରେ ଏ ଅବସ୍ଥା, ମୋତେ ଆଦୌ ଭଲ ଲାଗୁନି । କାହାକୁ ବା ଲାଗିବ ! ହଉ, ଆଉ ତ ମାତ୍ର କେଇଟା ଦିନ ଅଛି । ତା’ପରେ ଟେରେଲିନ୍ ପୋଷାକ, ଅଦି ପଞ୍ଜାବି, ମଲ୍‍ମଲ୍ ଧୋତି । କାମ ବା କେତେ ସମୟ କରିବାକୁ ପଡ଼େ । କାମବେଳେ ବି ମଣିଷକୁ ପୂରା ଡ୍ରେସରେ ରହିବାକୁ ପଡ଼େ । ହାତରେ ଦେଦାର ସମୟ । କେତେ ବଢ଼ିଆ ହୋଟେଲ ରେଷ୍ଟୁରାଣ୍ଟରେ କେତେ ବଡ଼ଲୋକଙ୍କ ପିଲାଙ୍କ ମେଳରେ କଟିଯାଏ । ସେତେବେଳର କଥା ତ ଛାଡ଼, କାମ କରିବା ପାଇଁ ଓର ଉଣ୍ଡୁଥିବାବେଳେ କି କାମ କଲାବେଳେ କୋଉ ଶଳାଟା ମୋତେ ଭାବିବ ଚୋର, ପକେଟ୍ ମାର ବୋଲି । ତା’ ମନଭିତରେ କ’ଣ ବାଳ ଉଠିଲାଣି କି !’’

 

‘‘ଆଉ ଏବେ କ’ଣ ହେଇଗଲା । ହାତରେ ଅବଶ୍ୟ ରେଲଯାତ୍ରାର ମଇଳା ଲାଗୁଥିଲା । ଦେହମୁଣ୍ଡ କେବେ କେବେ କୋଇଲା ଗୁଣ୍ଡରେ ଛାଇ ହୋଇ ଯାଉଥିଲା । ସେ ସବୁ ପୁଣି ସଫା ହୋଇ ଯାଉଥିଲା । ଏବେ କିନ୍ତୁ ମଇଳା ସାଲୁବାଲୁ ହୋଇ ମଣିଷର ଦିନରାତି କଟୁଛି । ବଗିଚାରେ ମାଟି ଆଡ଼େଇ ଆଡ଼େଇ ଏ ଗଛ ସେ ଗଛରେ, ସେ କିଆରୀ ଏ କିଆରୀରେ ପାଣି ଦେଇ ଦେଇ ଧୂଳିଧୂସର ବା କାଦୁଅ ବଲବଲ ହୋଇ ଫେରିବା ବେଳକୁ ଦେହହାତ ଧୋଇବାକୁ ପାଣି ନାହିଁ । ପାଣି ଅଛି ତ ସମୟ ନାହିଁ । ଏତେ ଅବସ୍ଥାର ମୂଲ୍ୟ କଡ଼ାଏ ହେଲେ ଅବା ମିଳନ୍ତା । ଆମେ ଖଟିବୁ, ଆଉ ଯୋଉ ସାଧୁ ଲୋକମାନେ ଆମକୁ ଏଠି ବନ୍ଦ କରି ଜଗି ବସିଛନ୍ତି, ସେମାନେ ଖାଇବେ । ବିଚିତ୍ର କଥା ଏକା । ଆଖି ଆଗରେ ସବୁ ଖାଇ ପାର୍ । ଦେଖୁ ନାହାନ୍ତି, ଖୋଦ୍ ବଜାର ଉପରେ ବିରାଟ ବିରାଟ ମକାନ ବନେଇ କେତେ କେତେଟା ମଟର ଗାଡ଼ି ରଖି, କେଡ଼େ କେଡ଼େ ପେଟ ଓହଳେଇ କେମିତି ସବୁ ବସିଛନ୍ତି । ସେମାନଙ୍କ ଆଖିଗୁଡ଼ାକ ଦେଖିଲେ ତ ମତେ କାହିଁକି ଭୟ ଲାଗେ । ସେ ଆଖିଗୁଡ଼ାକ ଯେମିତି ଅକ୍ଟୋପସ୍‍ର ଡେଣା ଭଳି ଚାରିଆଡ଼େ ବିସ୍ତାରି ଯାଇ ମଣିଷଗୁଡ଼ାଙ୍କୁ ଜିଅନ୍ତା କବଳିତ କରି ପକାଉଛନ୍ତି । ତା’ ପୁଣି ଖୋଦ୍ ସୂର୍ଯ୍ୟାଲୋକରେ ସୁନ୍ଦର ସଫେଦ ନିଅନ ଆଲୋକରେ । ଆମେ ସିନା କେତେଟା ଟଙ୍କା ପାଇଁ ପଛରେ ଧାଇଁ ଧାଇଁ ଅନ୍ଧାରରେ ବୁଲି ବୁଲି ମରୁ । ସେଥିରେ ପୁଣି ବେଧୁଆ ପୁଲିସର ଦାଉ । ଆଉ ସେମାନଙ୍କ ପାଖରେ ପୁଲିସଗୁଡ଼ା ଯେମିତି ପୋଷା କୁତା ।’’ ସେଇଠି ଟିକିଏ ହସି ଦେଇଥିଲି ଟିକେ ଅପ୍ରସ୍ତୁତ ଅନୁଭବ କରିଥିଲା ସେ । କହିଲା, ‘‘ଏକଦମ୍ ସତକଥା । ସେଇ ସଡ଼କରେ ସେଇ ଯୋଉ କାଲାଟା-। ଶାଲା କାନରେ ଗୋଟାଏ ଯନ୍ତ୍ର ଲଗେଇଛି । ଚାରି ମହଲା କୋଠା, ଚାରିଟା ଗାଡ଼ି-। ତା’ ସାଙ୍ଗରେ ମୁଁ କିଛିଦିନ ଗୁଣ୍ଡଦୁଧ କାରବାର କରିଥିଲି । ତା’ର ତ କେତେ ଚୋରା ବ୍ୟବସାୟ ଅଛି । ଇଏ ତା’ ଭିତରୁ ଗୋଟାଏ । ଶଳା କି କଥା । କୋଉଠୁ, କୋଉଠୁ କେତେଆଡ଼ୁ, ଅଭ୍ୟାଗତି ଗୁଣ୍ଡଦୁଧ ଆସେ, ଗରିବ ଦୁର୍ବଳ ପିଲାଙ୍କ ପାଇଁ । ମାତ୍ର କେଇଟା ଟଙ୍କାରେ ବସ୍ତା ବସ୍ତା ଚାଲିଆସେ, ୟା ପାଖକୁ । ତା’ର ବାବା ଚାରିଆଡ଼େ ଏଜେଣ୍ଟ । ସେ କେତେ ଗୁଣ ଚଢ଼ା ଦରରେ ବିକ୍ରୀ କରେ-। ଆଉ ପୁଣି କେତେ ହାତ ଦେଇ ସେଗୁଡ଼ା ଯାଏ ବଙ୍ଗାଳୀ, ବିହାରୀ ଖାଉଟି ହାତକୁ-। ତା’ ଦୋକାନକୁ ପୁଲିସ ଆସେ । ସାନ ବଡ଼ ପୁଲିସ ଅଫିସର ଆସନ୍ତି । ମାଜିଷ୍ଟ୍ରେଟ, କମିଶନର, ଜଜ୍ ଆସନ୍ତି । ତା’ର କେତେଗୁଡ଼ା ଗୁମାସ୍ତା, କେତେ ପ୍ରକାରର କାମ ତା’ର, କେତେ ଫନ୍ଦି ! ସେମାନେ ବି ମହା ପକ୍‍କା । ଶାଲା କାଲା ସେମାନଙ୍କୁ କହେ, ‘କୁତା ଓର ଉଣ୍ଡି ଆସିଛି । ଖଣ୍ଡେ ମାଉଁସ ଫିଙ୍ଗ ଦୋ । ଆପନା କାମ ମଜାସେ କର ଯା ।’ ପାନ, ସିଗାରେଟ୍, ଚା’, କଫି, ସରବତ; ମାଗଣା ବା ବଜାର ଅପେକ୍ଷା କିଛିଟା ଶସ୍ତା ଦରରେ କେଇଖଣ୍ଡ ଶାଢ଼ି, ଧୋତି, କପଡ଼ା; କେତେ କିଲୋ ମଇଦା, ସୁଜି, ଚିନି, ଗହମ; ବାବୁ ବାବୁ, ହଜୁର ହଜୁର, ମେହନତ ଆଉ କେତେଟା ସଲାମ । ଦେ ଆପନା କାମ ମଜାସେ କରଯା । ଆଖିରେ ଆଙ୍ଗୁଠି ଗେଞ୍ଜି ଏକ ଜାଗାରେ ଚାରି, ପାଞ୍ଚ, ଦଶ ଯୋଉଠୁ ଯେତେ ବେଶୀ ନିଆଯାଇପାରେ ନେଇଯା । ଚାରି ମହଲା କାହିଁକି ଦଶ ମହଲା କର-। ଗୋଟାଏ ନୁହେଁ, ପଚାଶଟା କର । ଏଟା ଏକଦମ୍ ବାହାଦୁରି । ଏମିତି ତ ସବୁ । କି ଶଳା ଅଜବ୍ ଦୁନିଆ । ଦେଖୁଛି ଆମେ ଗୁଡ଼ା ଦୁର୍ଭାଗା; ଶଳା ଜେଲରେ ଆସି ପଶିଛୁ । ଆମେ କୋଉଠୁ କେମିତି କେତେଟା ଟଙ୍କା, କେଇ ଭରି ସୁନା ନେଇଗଲୁ । କାଲା ଭାଷାରେ ଏଇ କୁତା ପୁଲିସ ଆମକୁ କି ହଇରାଣ ହରକତ ନ କରୁଛି । ଆମେ କ’ଣନା ଚୋର ଖଣ୍ଟ ଡାକୁ । ଗୋଟି ଗୋଟି କରି ତଣ୍ଟି ଚିପିଦବାକୁ ଇଚ୍ଛା ହଉଛି ।’’

 

ଏଇ କଥା ମୁଁ ହାକିମକୁ କେତେଥର କହିଛି । ମୁଁ ଖଣ୍ଟ ନୁହେଁ ଏଇ ପୁଲିସ ଶାଲା ଖଣ୍ଟ । ଏଇ ମତେ ମାଗଣାଟାରେ ଧରିଛି । ସତ କହିଲେ ଅଧିକାଂଶ ସମୟରେ ମାଗଣାଟାରେ ହିଁ ଧରିଛି-। ଯୋଉଥର ପାଖରେ ଟଙ୍କା ଥାଏ, ପୋଲିସର ମୁହଁଟା ବଙ୍କା ହୋଇଯାଏ । ମୁଁ ମୋର ସଲାମ ଠୁଙ୍କି ବାଟ କାଟେ । ଯୋଉଥର ପାଖରେ ଟଙ୍କା ନ ଥାଏ, ଏ ଶଳେ ଏମିତି ହଇରାଣ କରନ୍ତି-। ଆରେ ବାବୁ, ବୁଝିବା ଦରକାର ଅଛି ତ । ଆମକୁ କୋଉ ସବୁବେଳେ କାମ ମିଳୁଛି ନା ସବୁ କାମରେ କିଛି ତାଡ଼ା ତାଡ଼ା ମିଳି ଯାଉଛି ! ଯାହା ବା ମିଳୁଛି ତା’ କୋଉ ସବୁ ସମୟରେ ପାଖରେ ରହୁଛି ! ପାଖରେ ଥିଲେ ସିନା ଦବୁ । ଯେତେବେଳେ ଅଛି ତ ଦଉଛୁ । ଜମା ନ ଦଉ ଥାଆନ୍ତୁ ଭଲା ଏମିତି ହଇରାଣ ସହନ୍ତୁ । ହାକିମ ବି ଏ କଥା ବୁଝୁନି । ସିଏ ବି ଏମାନଙ୍କ ସାଙ୍ଗରେ ଗୋଟାଏ ଚୋର । ମୁଁ ତ ଏଥର ହାକିମ ମୁହଁରେ ସଫା ସଫା କହିଦେଲି, ସବୁ ଶଳା ଚୋର ମିଶି ମୋତେ ଚୋର ବୋଲି ପ୍ରମାଣ କରିବାକୁ ବସିଛ । ହେଲା, ମୁଁ ମାନିନେଲି, ପକେଟମାରୁ କରିଛି-। ନାହିଁ, ନାହିଁ, କହି ସମୟ ଗଡ଼େଇବାକୁ ବଳ ବୟସ ମୋର ନାହିଁ । ସଜା କ’ଣ କେଇଟା ମାସ ଦବ ବାବୁ ଦେଇଦେଲ । ହାକିମ ଟିକେ ଦବିଗଲା । ମୁହେଁ ମୁହେଁ କହିବା ଲୋକ ଆମେ । ଡର କାହାକୁ-। ଚାରି ଦଉଡ଼ି ତ କାଟିଛୁ । ସାଙ୍ଗେ ସାଙ୍ଗେ ସଜା ଦେଇଦେଲା । ସରିଲାଣି ଆସି । ଆଉ ମାତ୍ର କେଇଟା ଦିନ ।

 

ଗଲାଥର ଦି’ମାସ ସଜା ହୋଇଥିଲା । ବାଇଶି ଦିନ ହାଜତରେ ଥିଲି । ଏଇ କେଇଟା ଦିନ ଜେଲରେ କଟାଇ ବାହାରି ପଡ଼ିଲାବେଳକୁ ଭୋକ, ଭୋକରେ ମୋର ଦେହ ମନ ଜର୍ଜ୍ଜରିତ ହୋଇଉଠିଥିଲା । ବାହାରିବା ସାଙ୍ଗେ ସାଙ୍ଗେ ଚଉଠା ମାଇଲ ଯାଇଛି କି ନାହିଁ ବାଟରେ ଜଣକର ପକେଟ ମାଇଲି, ପାଇଲି ମୋଟେ ଟଙ୍କାଏ ପଚିଶ ପଇସା । ହାଃ ତୁ ଶଳା । ବସ୍‍ଷ୍ଟାଣ୍ଡରେ ଜଣକର ପକେଟ କାଟିଲି, ପାଇଲି ତିରିଶ ଟଙ୍କା ପଞ୍ଚାବନ ପଇସା ବୋଧେ । କାଲିକା କଥାପରି ଏକଦମ୍‍ ମନେଅଛି । ତେବେ ଯାଇ ମନ ଟିକେ ଘର ଧରିଲା । ତା’ପରେ ହଜାମତ୍ ସଫାସୁତୁରା ହେଇ ପଡ଼ିଲି । ପଲଉ ମାଉଁସ ଅଣ୍ଡା ପେଟେ ଠୁଙ୍କିଲି । ବାହାରି ପଡ଼ିଲି । ସେଇ ଗୋଟାଏ ଦିନରେ ମୁଁ ଅଧ ଡଜନ ପକେଟ୍ ମାରିଥିଲି । ଦି’ମାସ ବାଇଶିଦିନ କାଳ ହାତଗୁଡ଼ାକ ଅକାମୀ ହୋଇ ଯାଇଥିଲା, ମନଟା ମରି ଯାଇଥିଲା, ଦେହଟା ସ୍ଥାଣୁ ପାଲଟି ଯାଇଥିଲା । ସେ ସବୁଯାକ ସେଦିନ ଭୀମ ବିକ୍ରମରେ ଜାଗି ଉଠିଥିଲେ ।

 

ଏଥର ତ ଆସି ଏତେ ଦିନ ହୋଇଗଲାଣି । ଏଇ ଶଳା ବଗିଚା କାମ, ମାଟିହଣା, ପାଣିବୁହା ଏ ହାତକୁ ପୋଷାଏ ନାହିଁ । ଦେହକୁ ସୁହାଏ ନାହିଁ, ମନକୁ ବୁଝାଏ ନାହିଁ । ଯୋଉ ହାତ କେତେ ସୂକ୍ଷ୍ମ ଉପାୟରେ କାମ କରେ, କେତେ ଭୋଗବିଳାସ ସାମଗ୍ରୀ ଧରେ, ଯୋଉ ମନର ତୀକ୍ଷ୍ମଧାର ବହୁ ବାଧା କାଟି କାମ ହାସଲ କରେ, ଏଇ ଯୋଉ ଦେହ, ଏଇ ଯୋଉ ଛାତି, ଯାହାପାଇ କେତେ ଯୁବତୀ ଲାଳାୟିତ, ତା’କୁ ଏମିତି ପାଣି କାଦୁଅ, ଧୂଳିବାଲି ହବାକୁ ବାଧା ହୁଏ । କ’ଣ କରିବା ଆଉ ! କେଇଟା ଦିନ ମାତ୍ର ରହିଲା । ଏ ଦିନଗୁଡ଼ାକ ଜମାରୁ ଚଞ୍ଚଳ ଯାଉନି । ଗୋଟା ଗୋଟା ଦିନ ଯେମିତି ଗୋଟା ଗୋଟା ବରଷ । ଏଇ ଦିନଗୁଡ଼ାକରେ ମୋତେ କେମିତି ଅଭାବଗ୍ରସ୍ତ ଲୋକ ଭଳିଆ ମନେହଉଚି । ଏଠି ଅବଶ୍ୟ କୌଣସି ଜିନିଷର ଅଭାବ ନାହିଁ । କିନ୍ତୁ ଗୋଟାଏ ବିଷୟର ଅଭାବରେ ସବୁର ପ୍ରାଚୁର୍ଯ୍ୟ ତୁଚ୍ଛ ହୋଇଯାଉଛି । ଏଇ ଚାରିକାନ୍ଥ ଭିତରର ଜୀବନ, ହାତ ଗୋଡ଼ ଥାଇ, ଶରୀର ସବଳ ଥାଇ, ରୋଜଗାରହୀନ ପରିଶ୍ରମର ଦିନଗୁଡ଼ିକ ବଡ଼ ଅସହ୍ୟ । ଯାହା ଦରକାର ପଡ଼େ ବାହାରୁ ସାଥୀମାନେ ମଝିରେ ମଝିରେ ସୁବିଧା ଦେଖି ଯୋଗାନ୍ତି-। କେତେ ବା ସେମାନେ ଯୋଗାଇବେ । କୋଉ ଏବେ ସବୁ ସମୟରେ ସେମାନେ ଏଠି ରହୁଛନ୍ତି-। ଆଉ ଯାହା ବା ଦିଅନ୍ତି ତା’ର ମାତ୍ର କିଛି ଅଂଶ ମୋ ପାଖରେ ପହଞ୍ଚେ । ପ୍ରାୟ ବାରଅଣା ଚାଲି ଯାଇଥାଏ । ବେଳେବେଳେ ଅବଶ୍ୟ ଏଗୁଡ଼ା ଭୀଷଣ ବାଧେ । ଖଲାସ ହେବାର ସମୟ ଯେତିକି ପାଖେଇ ଆସୁଥାଏ, ସେତେ ବେଶୀ ଗୋଳମାଳିଆ ଲାଗେ । କାହିଁକିନା ବନ୍ଦୀ ହେବା ପରେ ପରେ ସାଙ୍ଗସାଥୀମାନେ ମୋର ଅଭାବ ପ୍ରତି ଯେତେଟା ଦୃଷ୍ଟି ଦିଅନ୍ତି ଓ ମେଣ୍ଟେଇବା ପାଇଁ ଯେତେଟା ଚେଷ୍ଟା କରନ୍ତି (ଅନେକ ସମୟରେ ମୋର କିଛି ଟଙ୍କା ସେମାନଙ୍କ ପାଖରେ ଥାଏ) କିଛିଦିନ ଗଲା ପରେ ସେମାନେ ଆଉ ସେତେଟା ଚେଷ୍ଟା କରନ୍ତି ନାହିଁ । ଏଟା ଅବଶ୍ୟ ଭାରି ସ୍ୱାଭାବିକ । ସେମାନଙ୍କର ଦୋଷ ଦେଇ କିଛି ଲାଭ ନାହିଁ । ସେମାନଙ୍କ ବେଳକୁ ମୁଁ ବି ମଧ୍ୟ ଠିକ୍ ଏମିତି କରେ । ଆପଣା ଧନ୍ଦା ତ ବଳଉଛି, ପର କଥା ବୁଝିବାକୁ ବେଳ କାହିଁ । ସେଇଥିପାଇଁ ଏଇ ଚାରିକାନ୍ଥ ଭିତରେ ରହିଗଲେ ମଣିଷକୁ ଭାରି ହଇରାଣ ହବାକୁ ହୁଏ । ମଣିଷ ତ ପଶୁ ହୋଇନି-। ପଶୁ ବି ଏମିତିଆ ଅବସ୍ଥାରେ ରହିବାକୁ ଘୃଣା କରିବ । ସେଇଥିପାଇଁ ପରା ଯେତେ ଥର ଧରା ପଡ଼ି ଯାଇଛି, ପ୍ରତ୍ୟେକ ଥର ଶୀଘ୍ର କାମ ତୁଟେଇ ଦବାପାଇଁ, ମାମଲା ପଡ଼ିଲା ମାତ୍ରେ ମାନିଯାଏ । ଯାଃ ଶଳା, କାମ ଶେଷ । କେଇଟା ଦିନ ସଜା ଦବ ତ । ହାଜତ ଆଉ ସଜା ଭିତରେ ତଫାତ୍ ବା କ’ଣ, ସେଇ ଚାରିକାନ୍ଥ ଭିତରେ ମଣିଷ ତ ରହିଲା । ତେଣୁ ହାଜତ ସମୟ ଯେତେ କମେଇ ଦିଆଯାଇପାରେ ସେତେ ଭଲ । ଅନ୍ତତଃ ଜୀବନକାଳ ଭିତରେ ବାହାରେ ବେଶୀ ସମୟ ରହିବାକୁ ମିଳିବ । ଆମର ଏ କାମରେ କେତେବେଳେ ଓ କେତେଥର ଯେ ଜେଲଖାନା ଭିତରେ ପଡ଼ିଯିବା କ’ଣ ଠିକ୍ ଅଛି ! ହାତରେ ସମୟ ଥିଲେ ସିନା ମଜା କରିହେବ ।

 

ଆସି ଏତେଗୁଡ଼ା ଦିନ ହେଲାଣି । ବାହାର ସହିତ ପ୍ରାୟ କିଛି ସମ୍ବନ୍ଧ ନାହିଁ । ପନ୍ଦର କୋଡ଼ିଏ ଦିନ ହେବ କୌଣସି ସାଥୀଠାରୁ କିଛି ଖବର ପାଇନି । ମନଟା କେମିତି ମରି ଯାଇଛି । ମୋର ଭାଗୁଆଟା ଏବେ କା ସହିତ କାମ କରୁଛି କେଜାଣି । ତା’ର ପତ୍ତା ନାହିଁ । ସେ କୋଉଠି ଧରା ପଡ଼ିଗଲା କି କ’ଣ ! ତା’କୁ ମୋଟେ ଦେଢ଼ ବରଷ ତଳେ ଉଠେଇ ଆଣିଥିଲି । ଭଲ ଘରର ପିଲା । ଅବି ତା’କୁ ଷୋଳ ବରଷ ଖଣ୍ଡେ ହେବ । ଭାରି ଚାଲାକ । ଷଷ୍ଠ ଶ୍ରେଣୀରେ ଦି’ ବରଷ ପଢ଼ିଥିଲା । ଘରୁ ସ୍କୁଲକୁ ଆସେ । ସ୍କୁଲ ମାଡ଼େନା । ଏଠିସେଠି ବୁଲି ସିନେମା ପାଖରେ ଲୁଙ୍ଗୁରୁପୁଙ୍ଗୁରୁ ହେଇ ସମୟ କଟାଏ । ପ୍ରଥମେ ପ୍ରଥମେ ସ୍କୁଲ ଛୁଟି ବେଳକୁ ଘରକୁ ଫେରୁଥିଲା । ତା’ପରେ ଆଉ ସେମିତି ଫେରିଲାନି । ମଝିରେ ମଝିରେ ଦିନେ ଦି’ଦିନ କାହା ପାଖରେ ରହିଯାଏ । ଗୁଲୁଗୁଲିଆ ଟୋକାକୁ ପାଖରେ ରଖିବାକୁ ବହୁତ ଲୋକ ମିଳନ୍ତି । ସିନେମା ପାଖରେ ଟିକେଟ କଳାବଜାରି କରୁଥିଲା ମୋ ଆଖିରେ ପଡ଼ିଗଲା । ସୁନାରି ସୁନା ଚିହ୍ନେ । ଠିକ୍ ଚିହ୍ନିନେଲି । ସେଇ ଦିନଠୁ ସେ ଥିଲା ମୋର ସବୁ । ଏବେ କେଇ ମାସ ହେବ ତା’ର କେମିତି କରଛଡ଼ା ଭାବ ଜଣା ପଡ଼ୁଥିଲା, ବେଟା ୟା ଭିତରେ ଗୋଟା ମାଷ୍ଟର୍ ବନି ଯାଇଛି । ମୋଠୁଁ କାଇଦାଗୁଡ଼ାକ ମାତ୍ର କେଇଟା ଦିନରେ ଶିଖି ପକେଇଲା । ଦି’ ଚାରିଟା ନୂଆ ଢଙ୍ଗ ବି ନିଜେ ତୟାର କରି ନେଇଛି । କି ମଜାରେ ଯେ ସେ କାମ କରେ, ତା’ ଖାଲି ଦେଖିବା କଥା । ମୋ ପାଖରେ ସେ ଅକୃତଜ୍ଞ ହବନି, ଏ ବିଶ୍ଵାସ ମୋର ଅଛି । ତଥାପି... । ଏତେ ଦିନ ହେଲାଣି ସେ ତା’ର ଏକୁଟିଆ କିମ୍ବା ଅନ୍ୟ କାହା ସାଥିରେ କାମ ଚଳେଇ ନଉଛି । ତା’ର ବି ତ ଆଖି ପାଇଗଲାଣି । ହୁଏତ ଏଣିକି ମୋ ପାଖରେ ରହିବାକୁ ଚାହିଁନପାରେ ! ଅବଶ୍ୟ ବିଶେଷ ଅସୁବିଧା ହେବନି । ପିଲା ଯଥେଷ୍ଟ ମିଳିବେ । ମୋର ଯେମିତି ମନେହେଉଛି ଏଇ ବାର ତେର ବରଷର ପିଲାଗୁଡ଼ାକ ବାହାରେ ମଜା କରିବାକୁ ଘରୁ ବାହାରି ଯିବାକୁ ସବୁବେଳେ ପ୍ରସ୍ତୁତ । ତେବେ ବି ଗୋଟାଏ ତାଲିମ ହାତ ଚାଲିଯିବ ନା... । ଆଉ ଜଣକୁ ତାଲିମ କରିବା କ’ଣ ସହଜ କଥା ପଡ଼ିଛି । ସେ କଥା ତ ଅଛି । ଆଗେ ଏଠୁ ଯାଏ ।

 

‘ଏଠୁ ଯିବ, ତା’ପରେ...’ ମୁଁ ପଚାରିଲି ।

 

ତା’ପରେ ଏଇୟା କରିବି, ଯୋଉ କାମ ଏତେ ଦିନ ହେଲା କରି ଆସିଲି ସେଇ କାମ କରିବି । ଆଗରୁ ଚାରିଥର ଚାରିଟା ଜେଲରୁ ବାହାରିଛି ଆଉ କ’ଣ ବା କରିଛି ! ପ୍ରଥମେ, ପ୍ରଥମେ କାମଧନ୍ଦା ଜୋରସୋରରେ ଚାଲିଛି । ତେଣିକି ଧିମେଇ ଯାଇଛି କିଛିଟା । ଏଥରକ ବି ସେଇଆ ହବ । ଏ କାମ କ’ଣ ଛାଡ଼ିହବ ? ଆଉ କଉ କାମରେ ଏମିତି ମଜା ନା ମାଲ ଅଛି ! ମିଳିଗଲା ତ ଶଳା ଏକାବେଳକେ ପୁଳାଏ । ଆଡ୍‍ଡାସେ ଥୋଡାଦିନ କଟିଗଲା । ତା’ପରେ ହୁଏତ ଟିକେ ଏପାଖ ସେପାଖ ହବାକୁ ପଡ଼ିପାରେ । ହୁଏତ କେଇ ଘଣ୍ଟା ଭିତରେ ବି ମାଲ୍ ମିଳିଯାଇ ପାରେ । ନ ହେଲେ ବା କେଇଟା ଦିନ ଲାଗିପାରେ । ସେ ତ ଆଉ ଏମିତି ଦୁନିଆର ଏତେ ଲୋକଙ୍କ କାମ ଭଳିଆ ନୁହଁ । କି ସବୁଦିନିଆ ଗଧ ଖଟଣି ନୁହଁ, କି ଦିନ ଶେଷରେ କେଇଟା ଟଙ୍କା ମୂଲ ମିଳିବା ନୁହଁ, କି ମାସଟା ସାରା ଖଟି ସାରିବା ପରେ କେତେ ଟଙ୍କା ଦରମା ନୁହଁ, ଗୋଟାଏ ମାସ ଚଳିବା ପାଇଁ ମୁଠାଏ ମାତ୍ର ସମ୍ବଳ । ସେଭଳିଆ ହୀନିମାନିଆ ଅବସ୍ଥା ଏଥିରେ ଆସେନା । ଅଛିତ ଏକବାରେକେ ଦରଦରତୋଡ଼, ନାହିଁ ତ କିଛି ନାହିଁ, ମାମୁଁ ଘରେ ଦୁଧ ଭାତ ଗଣ୍ଡାକର କ’ଣ ଅଭାବ ଅଛି ! ଏଇ କାମ କରିବି, ଏଇଟା ତ ମୋର ଅଭ୍ୟାସରେ ପଡ଼ିଯାଇଛି । ଦାନ୍ତ ଘଷିବା, ଲୁଗା ପିନ୍ଧିବା ପରି ଗୋଟାଏ ଅଭ୍ୟାସ । ହାତ ବୁଲେଇ ଆଣିଲେ କାମ ଶେଷ । ମଣିଷ ଦୁନିଆକୁ ଆସିନି ଦିନରାତି ଖଟି ଖଟି ମାରିବା ପାଇଁ । ଏଥିରେ ଅଳ୍ପ କାମ, ଦେଦାର ପଇସା । କାମ ସମୟତକ ବି ମଣିଷର ବେଶ୍ ଫୁର୍ତ୍ତିରେ କଟିଯାଏ । ଯାର ହିମତ ଥିବ, ଯା’ ଠେଇ ଟିକେ ମଣିଷ ଗନ୍ଧ ବାଜିଥିବ, ସେ କ’ଣ ଏମିତିଆ କାମ ଛାଡ଼ିପାରିବ ! କେତେବେଳେ କେମିତି ଟିକେ ଅସୁବିଧା ହୋଇଯାଏ, ସେଥିରେ ବା କ’ଣ ଅଛି । ଯିଏ ବ୍ୟବସାୟ କରିବ ସିଏ ଯଦି ସବୁବେଳେ ଖାଲି ଲାଭ ଖୋଜିବ, ତା’ହେଲେ କ’ଣ ବ୍ୟବସାୟ ଚଳିବ ! ତା’ ବା କୋଉଠି ସମ୍ଭବ ହବ । କ୍ଷତିକୁ ଆଗରେ ରଖିବାକୁ ହେବ । ଆମର ଏ ବେଉସାରେ ବି ସେମିତି କଥା । ଅସୁବିଧା ହୁଏ ପୁଣି କଟିଯାଏ । ତା’ପରେ ସୁବିଧା ଆସେ । ଏମିତି ଏଠିକି କେତେଥର ଆସିଲିଣି । ଆହୁରି କେତେଥର ବି ଆସିବାକୁ ହେବ । ଚିନ୍ତା ନାହିଁ । ଆସିବାଟା ତ ଆମ ଖାତାରେ ଚଢ଼ିଯାଇଛି । କ୍ଷତିଟା କ’ଣ ବ୍ୟବସାୟୀଙ୍କ ଖାତାରେ ଚଢ଼ି ନଥାଏ ! ଆସିଲେ ତ ପୁଣି ଯିବି । କୋଉ ରହିଯାଉଛି ଏଇଠି । ଏଇ କାମ କରିବି । ଆଉ କିଛି କରିପାରିବିନି ।’’

 

ବାଇଶି ବରଷର ଗଜା ଟୋକା । କୁନ୍ଦିଲା କୁନ୍ଦିଲା ସ୍ୱାସ୍ଥ୍ୟ । ତାତିଲା ରକ୍ତ । ହାତ ତା’ର ସ୍ପର୍ଶ କରିଛି ମାନବ ସମାଜର ଶ୍ରେଷ୍ଠତମ ରତ୍ନ–ଅଜସ୍ର ଟଙ୍କା, ମାତ୍ର ଏଇ କେତେଟା ବରଷର ଜୀବନ ଭିତରେ । ପାଟିରେ ଲାଗିଛି ମଣିଷର ଶ୍ରେଷ୍ଠ ଆସ୍ଵାଦନ–ମଦ, ମାଂସ, ମିଠା ଓ ନାନାବିଧ ଖାଦ୍ୟସମ୍ଭାର । ବୁକୁତଳେ ବହିଯାଇଛି କେତେ ଯୁବତୀର ଆବେଗଭରା ତପ୍ତ ନିଃଶ୍ୱାସ । ଜୀବନରେ ଘଟିଯାଇଛି କେତେ ରୋମାଞ୍ଚକର ଘଟଣା । ମାତ୍ର ଏଇ କେତେଟା ବରଷ ଭିତରେ, ବୟସ ଆରମ୍ଭ ହଉ ନ ହଉଣୁ । କେହି କ’ଣ ଏହାର ସ୍ୱାଦ ଏଡ଼େଇ ଦେଇପାରେ ! ଏହାର ସ୍ରୋତରେ ଥରେ ଭାସିଗଲେ ଉଜାଣି ସ୍ରୋତର ଧକ୍‍କା ଖାଇ କେହି କ’ଣ ଓଲଟି ଆସିପାରେ । କାହଁକି ବା ଆସିବ । କ’ଣ ବା ପାଇବ ଏଠି !

 

ବିକୁ ଓରଫ ବିକଳ ଓରଫ କେତେ କ’ଣ ନାମ ନିକଟରେ ‘ଏ କାମ ଛାଡ଼ିଦେ’ ‘ସମାଜକୁ ଫେରିଆ’ର ଅର୍ଥ କିଛି ନାହିଁ । ଏ କାନରେ ପଶିଛି ସେ କାନରେ ବାହାରି ଯାଇଛି । ବେଳେ ବେଳେ ପାଟିବାଟେ ଜବାବ ଆସିଛି, ‘ବାଜେ କଥା’ । ଉପଦେଶଗୁଡ଼ାକ ପ୍ରକୃତରେ ତା’ ମନକୁ ଆଦୌ ଘେନେଇ ନାହିଁ ।

 

ଏ କଥା ସେ ସ୍ୱପ୍ନରେ ବି ଭାବି ପାରେନା । ତା’ର ସ୍ୱପ୍ନରେ ଅନେକ ରଙ୍ଗ, ଅନେକ ଚମକ । ଦୁନିଆର ଅଗଣିତ ନରନାରୀଙ୍କର ଯାଇତାଇ ଜୀବନ ସହିତ, ଚଳିଯାଉଛି ତ, ଭାବନା ସହିତ ଏହାର କୌଣସି ଟିକିଏ ବି ସମ୍ବନ୍ଧ ନାହିଁ । ତା’ର ଭାବନା ବି ଅନୁରୂପ । ତା’ର ସ୍ୱପ୍ନ, ତା’ର ଭାବନା ଯେତେବେଳେ ତୁଳି ଆଉ ବାକସେ ରଙ୍ଗ ଧରି ତା’ ଆଗରେ ଠିଆ ହୁଅନ୍ତି, ତା’ର ଆଖି ଆଗରେ ଆଙ୍କି ଦିଅନ୍ତି ଏକ ବିଖ୍ୟାତ ସର୍ଦ୍ଦାରର ଜୀବନୀ, ଅଗଣିତ ଅନୁଚର, ଅମାପ ଧନରତ୍ନ, ଅସଂଖ୍ୟ ପ୍ରାସାଦ, ସୁରା ଓ ଖାଦ୍ୟର ଅପୂର୍ବ ସମାବେଶ, ଅଗଣିତ ରୂପସୀ ଲଳନା ଓ କେତେ କ’ଣ ସେତେବେଳେ ସେ ପ୍ରସନ୍ନ ହୋଇ ଉଠେ, ଓଠରେ ବିଛୁରି ଯାଏ ହସ, ଶିର ଉପରକୁ ହୋଇଯାଏ । ସେ ଖାଲି ତା’ପରେ ଭାବିହୁଏ କେବେ, କେତେଦିନ ପରେ ସେ ସମୟ ଆସିବ । ଏଇ ବିରାଟ ଭବିଷ୍ୟତ ବର୍ତ୍ତମାନରେ ପରିଣତ ହେବ । ହୁଏତ ଅଳ୍ପଦିନ ପରେ । ଏଇ କେଇଟା ବରଷ ଭିତରେ-। ସେ ଯେପରି ଏକ ସିଦ୍ଧହସ୍ତ ପକେଟମାର୍ ହୋଇଯାଇଛି । ସଙ୍ଗୀ ମହଲରେ ତା’ର ଯୋଉ ପ୍ରଶଂସା, ସେ ଯେ ଦିନେ ନିଶ୍ଚେ ବଡ଼ ହେବ ଏଥିରେ କ’ଣ ସନ୍ଦେହ କରାଯାଇ ପାରେ । ଆଖି ଆଗରେ ନାଚିଯାଉଥିବା ଐଶ୍ଵର୍ଯ୍ୟମାନଙ୍କ ମଧ୍ୟରୁ ଏବେ ବା କୋଉ ଗୋଟାଏ ତା’ର ଅଜଣା ଅଛି ଯେ । ସେ ପୁଣି ୟା’କୁ ସବୁ ଛାଡ଼ି ଫେରିଯିବ–ସମାଜର ନିର୍ଜୀବ ଶୃଙ୍ଖଳ ମଧ୍ୟକୁ, ବେକରେ ପାଟିଲଗା, ଚେନରେ ଭିଡ଼ା, ଲାଙ୍ଗୁଳ ହଲା ପୋଷା କୁତା ହବାକୁ । ସେ ପାରିବନି । ଏତେ ଶୁଷ୍କ ନୀରସ ହୋଇପାରିବନି । ତା’ର ମଣିଷତ୍ୱକୁ ବଳି ଦେଇ ସମାଜର ପଶୁ ହୋଇପାରିବନି । ସେ ପୁଣି ସେଇଆ କରିବ । ଜେଲଖାନାରୁ ଫେରିଗଲେ ତା’ର ସେଇ ପୁରୁଣା କାମରେ ଲାଗିଯିବ ।

 

ସେ ଉଠିଗଲା । ଚାଲି ଯାଉ ଯାଉ ମୁହଁ ଫେରେଇ କହିଲା ‘ପୁଣି ଦେଖା ହେବ ଯେ’ ।

Image